ଜୀବନର ଦୂରତ୍ୱ
ଜୀବନର ଦୂରତ୍ୱ
ଜନ୍ମରୁ ଆରମ୍ଭ ମୃତ୍ୟୁରେ ହିଁ ଶେଷ
ତନ୍ମଧ୍ୟେ କାହାଣୀ କେତେ
କେତେଯେ ଘଟଣା କେତେ ଦୁର୍ଘଟଣା
ଏ ଜୀବନ ଚଲାପଥେ l
ମାତୃ ଗର୍ଭେ ପ୍ରାଣ ହୁଏ ସଂଚାରଣ
ଶରୀର ଧାରଣ କରି
ତନ୍ମଧ୍ୟେ ଜୀବନ ହୁଅଇ ବପନ
ଅମୃତ ନିସ୍ୟନ୍ଦି ଭରି l
ସୁଖ ଦୁଃଖ ଆଉ ମାନ ଅପମାନ
ସ୍ୱାଭିମାନ ଅହଂକାର
ମାୟା ବନ୍ଧନରେ କର୍ମ କର୍ତ୍ତବ୍ୟରେ
ରୁଦ୍ଧ ଏ ଜୀବନ ଦ୍ୱାର l
କେବେ ତ ଆସକ୍ତ କେବେ ଅନାସକ୍ତ
ବୈରାଗ୍ୟ ଭାବରେ ବନ୍ଧା
ତୁଚ୍ଛ ଲାଗେ ଏଇ ସଂସାର ବନ୍ଧନ
ତୁଚ୍ଛ ଏ ଗୋଲକ ଧନ୍ଦା l
ଅଳିକ କ୍ଷଣିକ ଏ ଜୀବନ ନାଟିକା
କେତେବେଳେ ଯିବ ସରି
ଏକା ଏକା ପୁଣି ଫେରିବାକୁ ହେବ
ନିଜକୁ ଆପଣା କରି l
ଜନ୍ମ ପରେ ମୃତ୍ୟୁ ଏ ତ ଧ୍ରୁବ ସତ୍ୟ
ଅପ୍ରତ୍ୟାଶୀ ଅକସ୍ମାତ
କାହାକୁ ବା ଜଣା ମୃତ୍ୟୁର ଠିକଣା
ହେବ ଆସି ଉପଗତ l
ଜନ୍ମ ପରିଧିରେ ଲୁଚି ରହିଥାଏ
ଜୀବନର ସାର୍ଥକତା
ଦକ୍ଷ ଯୋଗ୍ୟତାର ପାରିବା ପଣିଆ
ଆଣିଥାଏ ସଫଳତା l
ଉତ୍ଥାନ ପତନ ସମସ୍ୟା ଘେରରେ
ଏ ଜୀବନ ହୁଏ ଶେଷ
ଜୀବନର ମାନ କରେ ନିର୍ଦ୍ଧାରଣ
ପରିସ୍ଥିତି ପରିବେଶ l
ଦିନେ ନା ଦିନେ ତ ହୋଇବ ନିଶ୍ଚୟ
ଜୀବନ ଅବଧି ଶେଷ
ଅନିର୍ଦ୍ଦିଷ୍ଟ ପୁଣି ନିଃସର୍ତ୍ତ ଅସ୍ଥାୟୀ
ଜୀବନର ସମାବେଶ l