STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ଜୀବନ ଯମୁନା

ଜୀବନ ଯମୁନା

1 min
309

ଜୀବନ ଯମୁନା ମନର କଳ୍ପନା,

     ଭାବେ ପଡ଼େ ଜଣା ଅଭାବରେ ବଣା।


କଳ କଳ ନାଦ ମଧୁର ଶବଦ,

    କେବେ ସୁଖପ୍ରଦ କେବେ ଆଣେ ଖେଦ।


ପ୍ରାଣର ସ୍ପନ୍ଦନେ ମାନ ଅଭିମାନେ,

    କୂଳ ଲଙ୍ଘେ ଯେହ୍ନେ ବନ୍ୟାର ପ୍ଳାବନେ।


ଯଉବନ ସ୍ରୋତେ ଧାଏଁ ଅବିରତେ,

      ସପନେ ଭସାଏ ଢେଉ ଆସି କେତେ।


ସେ ଯମୁନା କୂଳେ କଦମ୍ବର ମୂଳେ,

   ରାଧାକୃଷ୍ଣ ମେଳେ ପ୍ରେମ ହୋଲି ଖେଳେ।


ଜୀବ ରାଧାରାଣୀ ଆତ୍ମା କୃଷ୍ଣ ଜାଣି,

       ଏକ ସାଥେ ବେନି ବହନ୍ତି ଉଜାଣି।


ନିତ୍ୟରାସ ରଙ୍ଗେ ଖେଳନ୍ତି ତରଙ୍ଗେ,

     ଅଙ୍ଗେ ଅଙ୍ଗେ ଢ଼ଙ୍ଗେ ମନ ପ୍ରାଣ ସଙ୍ଗେ।


ଜୀବନ ଯମୁନା ଦେହ ଭେଳା ବିନା,

        ରହି ଯାଏ ସିନା ବହି ସେ ଯାଏନା।


ମନର ଭାବନା ରଖେନା ଚେତନା,  

          ତାର ସମ୍ଭାବନା ପୂରଣ ହୁଏନା।


ସୁଖ ଦୁଃଖ ଦୁଇ ଢେଉ ଭଟ୍ଟା ହୋଇ,

        ଆଗକୁ ଆଗେଇ ନିଏ ତ ଭସେଇ।


ସଂସାର ଜଞ୍ଜାଳ କରାଏ ବ୍ୟାକୁଳ,

          ସାଧନେ ସୁଫଳ କରଇ ମଙ୍ଗଳ।


ଇନ୍ଦ୍ରିୟ ଲାଳସା ଅସରନ୍ତି ଆଶା,

          ହୁଏ ଯଦି ନିଶା ବୁଡ଼ଇ ଭରସା ।


ପାରି ହେବା ପାଇଁ ଏ ଯମୁନା ନଈ,

       ନାଆ ବାହି ବାହି ନିଅରେ ନାଉରୀ।


ହେବ ଯଦି ପାରି  ହାତେ କାତ ଧରି,

          ରୁହ ଲୟ କରି ପ୍ରଭୁଙ୍କୁ ସୁମରି।


କରି ଉପାସନା କର ବନ୍ଦାପନା,

        ତୁଟିବ ଯନ୍ତ୍ରଣା ପ୍ରଭୁ କଲେ ଘେନା।


ଜୀବନ ଯମୁନା ନିଷ୍ଠାର ସାଧନା,

        ଜାଗ୍ରତେ ପ୍ରାର୍ଥନା ବିନାଶେ କାମନା।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract