ଜୀବନ ଯମୁନା
ଜୀବନ ଯମୁନା
ଜୀବନ ଯମୁନା କଳି କଳୁଷ ନାଶକ ।
ପାପ ତାପ ହର ସ୍ନିଗ୍ଧ ଶାନ୍ତି ପ୍ରଦାୟକ ।।
ଜଗତ ପାପ ମୋଚନେ ଯମୁନା ଯେସନ ।
ଜୀବନ ଯମୁନା ପାପ କରଇ ମୋଚନ ।।
ଧନ୍ୟ ହୋଇଲା ଯମୁନା ଲଭି ରାସରସ ।
ଗୋପୀ କୃଷ୍ଣ ଲୀଳାଖେଳା ଅମୃତ ସୁରସ ।।
ଜୀବନରେ କୃଷ୍ଣରସ ଥରେ ଭରିଦିଅ ।
ଗୋପୀଭାବରେ ଭାବିତ ଥରେ ମାତ୍ର ହୁଅ ।।
ଚାଖିଲେ ଥରେ ସେ ସ୍ୱାଦ ପୂରିବ ବାସନା ।
ଜୀବନ ଯମୁନା ନ ହୋଇବ ଆନମନା ।।
ଚିରସ୍ରୋତା ଯମୁନା ଧାବିତ ସାଗରକୁ ।
ଜୀବନ ଧାଏଁ ସର୍ବଦା ମୃତ୍ଯୁସାଗରକୁ ।।
ପାପ ତାପ ଧୋଇ ପୂତ ଯମୁନା କରଇ ।
ଜୀବନ ଯମୁନା ଭବପାପ ନିବାରଇ ।।
ଗୁରୁପଦ ସେବା ଫଳେ ଜୀବନ ସାର୍ଥକ ।
ଜୀବନ ଯମୁନା ହୁଏ ପାତକ ନାଶକ ।।
ପ୍ରଧାବିତ ହୁଏ ପରମାତ୍ମ-ସୁଖ ପାଇଁ ।
ନାବିକ ବିହୀନେ ସୁଖ ଲଭିବ ସେ କାହିଁ ?
ଯମୁନା ଜଳରେ ନାଶେ ପାତକୀ ପାତକ ।
ଜୀବନ ଯମୁନା ପ୍ରଭୁ ପ୍ରୀତି ପ୍ରଦାୟକ ।।
ଯେଉଁଠୁ ଆସିଛ ତୁମେ ସେଠାବକୁ ଯିବ ।
ଜୀବନ ଯମୁନା ଡଙ୍ଗା ଯତନେ ବାହିବ ।।
ଯମୁନା ଭଉଁରୀ ତୁମ କି କରିବ କହ ?
ସ୍ବଧରମେ ରହି କର କରମ ନିର୍ବାହ ।।
ଯମୁନା ହସୁଛି ଦେଖ କିରି କିରି ହୋଇ ।
ସ୍ରୋତ ତାର ବହିଯାଇ ସାଗରେ ମିଶର ।।
ସାଗର ସଙ୍ଗମେ ନାଶେ ସକଳ କଳୁଷ ।
ଜୀବନ ଯମୁନା କରେ ଏକମାତ୍ର ଆଶ ।।
ଆସିଛି ଧରାକୁ ନାଶି ସକଳ କଳୁଷ ।
ପ୍ରଭୁପଦେ ଲୀନ ହେବ ଏହି ତା ମାନସ ।।
କୃପାମୟ କୃପାଫଳେ ସମ୍ଭବିବ ଏହା ।
ଲକ୍ଷ କୋଟି ଜନମେ ସଫଳ ନୁହେଁ ଯାହା ।।