ବୟସ୍କର ବ୍ୟଥା
ବୟସ୍କର ବ୍ୟଥା
ଭାବୁଛି ମୁଁ ବସି ନିତି ପ୍ରତି ପ୍ରତ୍ୟୁଷେ
ପତ୍ରଝଡ଼ା ଥୁଣ୍ଟା ତରୁ ଡାଳ ଦେଖି ଉଦାସେ
ନିରୋଳା ମୁହୂର୍ତ୍ତର ମୁନିଆଁ ପ୍ରହାର
ଏକାନ୍ତ ଜୀବନ ଯନ୍ତ୍ରଣା ଧାରୁଆ ଧାର
ବିତୃଷ୍ଣାର କୀଟ କାଟେ କଟକଟ ନିତି ପ୍ରଦୋଷେ
ଚିନ୍ତାରେ ମଗ୍ନ ନିଗନ୍ନ ସନ୍ୟାସେ ବିନ୍ୟାସେ ।
ବିକିଦେବି ବଳକା ଆଯୁଷ ମୋର
ସ୍ଵାକ୍ଷର କରିବି ଦାନପତର
ବାକିଥିବା ସମସ୍ତ ବୟସ ଖାଲି ଦେଇଦେବି
ମାଗଣାରେ ସତ୍ୟ ତ୍ରିବାର ।
ଭୁଟ୍ କିନା କି'ଏ କହିଦେଲା ?
ଚଟ୍ କରି ଜବାବ୍ ଟେ ଶୁଣିହେଲା ?
କେତେ ଯେ ବଳକା ବୟସ ଅଛି
ଜୀବନ ସଞ୍ଚୟ ଖାତାରେ
କେତେ ଯେ ବଂଞ୍ଚିତ ଆୟୁଷ ଅଛି
ଅପରାହ୍ନ ହାଡ଼ ପିଞ୍ଜରାରେ ।
ପାକୁଆ ପାଟିକୁ ମାଟିର ମହକ
ମାୟା ମିରିଗର ନାଟ
ହାତ ଗଣତିରେ କିଛି ଧଳା ବାଳ
ସମ୍ପତ୍ତି ବାୟାରେ ଭାଟ ।
ଅନ୍ତଃକରଣରୁ ବୋଧେ ଆର୍ତ୍ତ ଚିତ୍କାର
ଆତ୍ମାର ସ୍ଵର ଝଂକାର
ଚିନ୍ତାର ବୁଢିଆଣି ଜାଲରେ ଛନ୍ଦି
ଦରମରା ରାରିଣୀ ତାର ।
ବିଦାୟୀ ଅସ୍ତାଚଳେ କରୁଣ ତରୁଣ
ଖୋଜେ ମୁଠାଏ ସ୍ନେହ
ବୟସ ପାଦପରେ ପତ୍ରଝଡ଼ା ରଙ୍ଗଭଡ଼ା
ଦୟା କରୁଣାର ବର୍ଷଣ ମୋହ ।
ପତ୍ନୀ ସ୍ଵର୍ଗବାସୀ ଫଗୁଣ ବାରମାସୀ
ପିଲାମାନେ ଉଡି ଗଲେଣି
ବନେଇ ନିଜ ନିଜର ନୂଆ ଠିକଣା
ପରଦେଶୀ ବିଦେଶୀ ହେଲେଣି ।
ଫୋନରେ ପଦେ ଅଧେ ମନବୁଝା
ଚଉତିସା ଶୁଣେ ଏ କର୍ଣ୍ଣ
ଦଦରା ଅନ୍ତର ବତୁରି ଯାଏ ପ୍ଲାଷ୍ଟିକ
ଉପଚାରେ ବିଦୀର୍ଣ୍ଣ ବିଷର୍ଣ୍ଣ ।
ବିମାରୀ ଦାଉ ବାଧେନା କାଟେନା
ଆର୍ଥିକ ଅନାଟନ ଛୁଏଁନା
ନିଃସଙ୍ଗ ଜୀବନରେ ସନ୍ତୁଳେ ନିତିଦିନ
ତେଲ ଲୁଣର ମନ୍ଥନା ।
ରୋଷେଇ ବାସନ ମଜା ଘର ପାଇଟି
ଭିତରେ ଜୀବନ ଦର୍ଶନ
ଆହା କରିବାକୁ ବିପଦେ ଆପଦେ
କେହି ଫାରନ୍ତିନି ବେନି ନୟନ ।
ଅସରନ୍ତି ସ୍ଵପ୍ନସବୁ ମର୍ମାହତ କକ୍ଷଚ୍ଯୁତ
ଦୋଛକିରେ ପଶି କାଶି
ଆଶାକଳି ମାନେ ମଉଳି ଜଳି ଝାଉଁଳି
ଘର୍ମାକ୍ତ କରନ୍ତି ଶୋଇ ବସି
ଧନଦାନ ବସ୍ତ୍ରଦାନ ତଣ୍ଡୁଳ ଦାନ
ବହୁତ କରିଲି ବୋଲି
ଅଙ୍ଗ ଦାନ ନେତ୍ର ଦାନ ରକତ ଦାନ
ଫରମ ଭରିଲି କାଲି ।
ବାକି ବୟସକୁ ଦାନ କରିଦେବି
ଭାବିଛି ମନରେ ମୁହିଁ
ବଳକା ଆୟୁଷ ଯୁବକେ ପ୍ରଦାନି
ପ୍ରଭୁ ଶରଣ ଧ୍ଯାୟୀ ।
ମୋଦୀ ସରକାରେ ଗୁହାରୀ ଆଭାରୀ
ଆଣୁ ସମ୍ବିଧାନ ସଂଶୋଧନ
ମନ ତଳର କଥା ତଥା ବୟସ୍କର ବ୍ୟଥା
ଶେଷ ହେଉ ଶ୍ରଦ୍ଧା ସୁମନ ।
