ଏଇ ଅଳି ତୁମ ପାଶେ
ଏଇ ଅଳି ତୁମ ପାଶେ
ଜାଳିଲି ଦୀପାଳି ଭକ୍ତି ପୁଷ୍ପାଞ୍ଜଳି
ଅରପିଲି ଶ୍ରୀପୟରେ,
ଗରୁଡ଼ ପଛରେ ଅନେଇ ରହିଲି
ଡାକିବୁ ବୋଲି ଆଦରେ |
ଚକାନୟନରେ ଲାଖିଗଲା ଆଖି
ଦୁଃଖ ଭୁଲିଲି ଅଚିରେ,
ନୟନୁଁ ଲୋତକ ନିଗିଡି ଆସିଲା
ଚିବୁକର ଦୁଇ ଧାରେ |
କାଳିଆ ଧନକୁ ଦେଖିଲି ନିରେଖି
ମନ ମୋ ଭରିଲା ନାହିଁ,
ପଛକୁ ଫେରିବା କଷ୍ଟ ଲାଗିଲାରେ
ତୋବିନା ପାରେନା ଜିଇଁ |
ଏତେ କପଟିଆ ବଡ଼ ଦଗାଦିଆ
ମାୟା ମୋହନରେ ତୁହି,
ମୋ ମନରେ ଯାହା ମନସ୍କାମ ଥିଲା
କ୍ଷଣିକେ ଦେଲୁ ଭୁଲେଇ |
ଶ୍ରୀଚରଣ ବିନା କିଛି ମୁଁ ଚାହେଁନା
ପାଇବାକୁ ଟିକେ ସ୍ଥାନ,
ତୋ କଳାବଦନ ଦର୍ଶନ ପାଇଁକି
ବିତିଛି ମୋ କେତେ ଜନ୍ମ |
ଏ ଜୀବନ ମୋର ସଫଳ କରିଦେ
ତୋ ଭାବରେ ମୋତେ ବାନ୍ଧି,
ଅନ୍ତରୁ କାଢିନେ ମାୟା ଆବରଣ
ତୋ ପ୍ରେମରେ କର ବନ୍ଦୀ |
ତୋ ନାମକୁ କରି ଜପାମାଳି ଧନ
ସ୍ୱଛ କରିବି ଶରୀର,
ଶେଷ ସମୟରେ ତୋ ସ୍ୱରୂପ ଦେଖି
ପହଂଚିବି ମୋକ୍ଷଦ୍ୱାର |
ସାଦରେ ପାଛୋଟି ନେବୁରେ କାଳିଆ
ରହିଲା ତୋତେ ମୋ ରାଣ,
ଦାସିଟିଏ କରି ରଖିବୁ ପାଖରେ
ତୋ ପଦେ ନେଲି ଶରଣ |
