ଜୀବନ ସଙ୍ଗୀତ
ଜୀବନ ସଙ୍ଗୀତ
ହୃଦୟ ବୀଣାରୁ ହୁଏ ଝଙ୍କୃତ
ରାଗ ରାଗଣୀ ତା' କରେ ମୋହିତ,
ତାଳ ଛନ୍ଦରେ ମନ ଉଲ୍ଲସିତ
ଜୀବ ପ୍ରାଣକୁ କରେ ଆକର୍ଷିତ ସେ,
ନାଁ ତା' ଜୀବନ ସଙ୍ଗୀତ ଯେ,
ଭରି ଦିଏ ଆଶା ପ୍ରକାଶଇ ଭାଷା
ସପନ ହୁଅଇ ଜାତ ଯେ।
କେବେ ତୋଳଇ ମଧୁର ମୂର୍ଚ୍ଛନା
କେବେ ତୋଳଇ କରୁଣ ରାଗିଣୀ,
ଭାବ ଭାବନାରେ ପ୍ରବାହ ଆଣି
ଆନନ୍ଦ ବିଷାଦ ଦିଅଇ ଜାଣି ସେ,
ସାତ ସୁରେ ବନ୍ଧା ପଦ ଯେ,
ଧାରା ତା' ଆରୋହ ସାଥେ ଅବରୋହ
ଚିନ୍ତି ଦେଖେ ଭେଦାଭେଦ ଯେ।
ପଦୁଅଁ ପତରର ଜଳ ସମ,
ଢ଼ଳ ଢ଼ଳ ହୋଇ କରଇ ଭ୍ରମ,
ନାହିଁ ତାର ସ୍ଥିତି କରାଏ ବିଭ୍ରମ
ଧ୍ଵନି ପ୍ରତିଧ୍ଵନିର ଉଦଗମ ସେ
କରମେ ପାଳେ ଧରମ ଯେ
ହସରେ ହସାଏ ଲୁହରେ ଭସାଏ
ଗତି ତାର ଅବିରାମ ଯେ।
ପ୍ରାଣର ସ୍ପନ୍ଦନ ପ୍ରଣବ ମନ୍ତ୍ର
ଜୀବନ ସଙ୍ଗୀତ ଗାଏ ସ୍ଵତନ୍ତ୍ର,
ଶ୍ରମ ସାଧନା ଆଣେ ଜାଗରଣ
ଲକ୍ଷଣ ପାଳନେ ଦିଏ ପ୍ରମାଣ ସେ,
ପ୍ରେମେ ହୁଏ ମଧୁମୟ ଯେ,
ରଖି ଅନୁରାଗ କଲେ ବିନିଯୋଗ
ଝରି ପଡ଼ଇ ଅମିୟ ଯେ।
ଜୀବନ ସଙ୍ଗୀତ ଗାଏ ଗାୟକ
ଶ୍ରୋତା ଶ୍ରବଣେ ହୁଏ ଭାବୁକ,
କରେ କେବେ ମୁଗ୍ଧ କେବେ ବିଦଗ୍ଧ
ସ୍ବର ଲୟ ତାଳେ କରାଏ ବୋଧ ସେ,
ଜୀବ ପରମର ଖେଳ ଯେ,
ସଂଜରୁ ସକାଳ ଦିବାନିଶି କାଳ
ଗାଇ ପାଏ ପୁଣ୍ୟଫଳ ଯେ।