ଜୀବନ ରଙ୍ଗ
ଜୀବନ ରଙ୍ଗ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜୀବନଟା ଏକ ବୋଝ ନୁହେଁ ବନ୍ଧୁ
ନୁହେଁ ସେ ଏକ ଶୋଚନା,
ଆଶା ଭରସାର ପରଶମଣି ସେ
ହରଇ ଅନ୍ୟ ଯାତନା ।
ଜନନୀର ଡାକ ଓଁକାର ପରାୟେ
ଜୀବନରେ ସୁଧା ଭରେ,
ତା କାନି ପଣତେ ପୋଛିଲେ ଲପନ
ସବୁ ଦୁଃଖ କ୍ଳେଶ ହରେ ।
ଫୁଲ ଝୁଲଣାରେ ପ୍ରିୟା ପରଶରେ
ଜୀବନ ଖେଳଇ ଦୋଳି,
ମନ ବିତାନରେ ରଙ୍ଗ ବେରଙ୍ଗର
ଫୁଲ ଫୁଟେ ଭଳି ଭଳି ।
ଶିଶୁର ଓଠରେ ହସଇ ଜୀବନ
ପ୍ରଭାତୀ କିରଣ ପରି,
ଦେଖାଏ ଆଗାମୀ ବଞ୍ଚିବାର ଆଶା
ମନରେ ପୁଲକ ଭରି ।
କବି ଲେଖ
ନୀରେ କବିତାର ଛନ୍ଦେ
ନାଚେ ଜୀବନ ତରଙ୍ଗ,
ଶିଳ୍ପୀର ତୂଳୀରୁ ପାଷାଣ ବୁକୁରେ
ଝରେ ଜୀବନର ରଙ୍ଗ ।
ଜୀବନଟା ଅଟେ ବଞ୍ଚିବାର କଳା
ସାଧିଲେ ଲାଗେ ସହଜ,
ନହେଲେ ଜୀବନ ଲାଗଇ ବେସୁରା
ପାଲଟେ ସେ ଏକ ବୋଝ ।
ଚାଲିବା ନଜାଣି ବାଟର କି ଦୋଷ
ଚାଲିବାଟା ଲାଗେ ଭାର,
ଗାଇବା ନଜାଣି ଗୀତକୁ ନିନ୍ଦିଲେ
ଗୀତ କି ହେବ ମଧୁର !
ବଞ୍ଚିବା ଶିଖିଲେ ଜୀବନ- କଳସ
ବିତରେ ସରଗ ସୁଧା,
ଜୀବନ ପାଲଟେ ସରସ ସୁନ୍ଦର
ବଞ୍ଚିବା ଲାଗେନା ବାଧା ।