STORYMIRROR

Biswanath Nayak

Abstract

2  

Biswanath Nayak

Abstract

ଜୀବନ ଗଣିତ ------

ଜୀବନ ଗଣିତ ------

1 min
3.2K

ଜୀବନ ଗଣିତ

     କଷୁଛି ଆଜି ମୁଁ

          ସମାଧାନ ନାହିଁ ଜଣା,

ତୁଳିତଳ୍ପ ଶେଯେ

      ଜୀବନକୁ ଖୋଜେ

           ସାର ଖାଲି ବାଟବଣା। 


କୁଆଁ କୁଆଁ ରାବେ

     ଖୋଜିଲି ଜୀବନ

           ମାଆର ପଣତ ତଳେ,

ଶୈଶବ ବିତିଲା

      ପ୍ରଶ୍ନ ରହିଗଲା

           ସେଇଠି ଅନ୍ତୁଡିଶାଳେ। 


ବାଲିଘର ଖେଳି

       ଜୀବନ ଖୋଜିଲି

           ସାଙ୍ଗ ଆଉ ସାଥି ମେଳେ,

ଲୁଚିଲା ଜୀବନ

        ପଡିଲାନି ଧରା

            ସେଠି ବୋହୂଚୋରି ଖେଳେ। 


ଯେତେ ଉପପାଦ୍ୟ

      ସମାଧାନ ସୂତ୍ର

            ପଢିଲି ମୁଁ ପାଠ ଛଳେ,

ଜୀବନ ଜ୍ୟାମିତି

      ହେଲାନାହିଁ ବୁଝି

             ଛାତ୍ର ଭାବେ ଗୁରୁକୂଳେ। 


ପ୍ରେୟସୀ ଗଭାର

       ରଜନୀଗନ୍ଧା ରେ

             ଉତ୍ତର ଖୋଜିଲି ଯାଇ,

କହିଲା ପ୍ରେୟସୀ

      'ଏଇତ ଜୀବନ'

            ଏକଥା କି ଜାଣ ନାହିଁ


ଆଗାମୀ ପିଢ଼ିର

       ଦରୋଟି ହସରେ

            କଷିଲି ଜୀବନ ଅଙ୍କ,

କହିଲେ ସେମାନେ

        'ଏ ନୁହେଁ ଗଣିତ

             ଏ ତ ଗୋଟେ ମାନସାଙ୍କ '। 


କ୍ଳାନ୍ତ ଅପରାହ୍ନେ

       ଖୋଜିଲି ଜୀବନ

            ରଙ୍ଗ ମାଖି ବୟସରେ,

ଉପହାସ କରି

        କହିଲା ବୟସ

             'ଛାଡ଼ି ଆସିଲ ପଛରେ'। 


ଅଛି ଶେଷ ଆଶା

         ମିଳିବ ଉତ୍ତର

              ମଶାଣି ଜୁଇରେ ଶୋଇ,

କିନ୍ତୁ! ସେ ଉତ୍ତର

         ପାରିବିତ ବୁଝି

              ପଞ୍ଚଭୂତେ ଲୀନ ହୋଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract