ଜୀବନ ଧନ ଯଶ
ଜୀବନ ଧନ ଯଶ
ଜୀବନ୍ତ ଅଭିନୟ
ଧନ ଉପାର୍ଜନ ପରିବାର ବୃଦ୍ଧି
ଆଧିପତ୍ୟ ପ୍ରତିପତ୍ତି ଉଚ୍ଚାସିନ ବୈଭବ
ଅହରହ ସଂଗ୍ରାମ ଜୀବନ ଯୁଦ୍ଧରେ
ଅଭିନୟ ନିଖୁଣ ଓ ପ୍ରଶଂସନୀୟ
ମନରେ ଗର୍ବ ଅହଙ୍କାର
କ୍ରମେ ଶେଷ ହୁଏ ଅଭିନୟ
ବିଦାୟ ପ୍ରସ୍ତୁତି ,ପରିଜନଙ୍କ ଉପସ୍ଥିତି
ଶେଷ ଦୃଶ୍ୟରେ ଅଭିନୟ ମୁକ୍ତ।
ସରିଗଲେ ଖେଳା- ଲୀଳା ଜିବନ ନାଟକେ
ଏ ମାଟିରେ ମିଶିଯିବା ପାଇଁ
ମଶାଣି ଭୁଇଁରେ ଟିକିଏ ଜାଗାରେ
ଶେଷ ଇଛା ମରଣର ଜୁଇ
ଚାହୁଁ ଚାହୁଁ ହୁଏ ନିର୍ବାପିତ
ରହିଯାଏ ଭସ୍ମ ଆଉ ଭସ୍ମ
ପରିଚିତ ସେଇ କଳାକାର ଟି ର
ଯା ର ଅଭିନୟେ
ହସୁଥିଲେ,କାନ୍ଦୁଥିଲେ
ପରିବାର ବନ୍ଧୁ ଓ କୁଟୁମ୍ବ
ଉପକୃତ ହେଉଥିଲା, ଏ ସମାଜ
ସମାଜରେ ଥିବା ଜ୍ଞାନୀ ଗୁଣି ଶୁଦ୍ଧି ମହାଜନ।
କେତେ ଜ୍ଞାନୀ ଗୁଣି,ଖେଳାଳି ଓ ବୀର
ମିଶିଗଲେ ମଶାଣି ଭୁଇଁରେ
ନାମ ଯଶ ରହିଗଲା ମାତ୍ର
ଇତିହାସ ଗାଉ ଅଛି ଗାଥା
ବଂଶଧର ପାଳିଛନ୍ତି ଶ୍ରାଦ୍ଧ-ଉତ୍ସବ
ସେଇ ମରଣର ଦିନ
ମନେ ପଡେ ମାତ୍ର,ନାମକୁ ମାତ୍ର।
ମଶାଣି ର ଦୃଶ୍ୟରେ ପରିବର୍ତ୍ତନର ଛିଟା
ସ୍ଵର୍ଗଦ୍ଵାର ଆଖ୍ୟା ସହ ସୁଶୋଭିତ
ବିଦାୟ ବେଳରେ ଅନ୍ତିମ ପର୍ଯ୍ୟାୟ
କିଛି କ୍ଷଣ ପରିଜନଙ୍କ ଉପସ୍ଥିତି
ଭସ୍ମ ହେବା ପାଇଁ ଯୋଜନା ପ୍ରସ୍ତୁତି
ଚାହୁଁ ଚାହୁଁ ମାତ୍ର ମୁଠାଏ ଭସ୍ମ
ଅସ୍ଥି ଟିକେ ଖୋଜା ଯାଏ
ବିସର୍ଜନ ହେବ କେଉଁ ପବିତ୍ର ଜଳ ସ୍ରୋତରେ।
ବଞ୍ଚିଥିବା ବେଳର ଧନ ଉପାର୍ଜନ
ଭାଗ ହୁଏ ରକ୍ତ ସଂପର୍କୀୟ ମଧ୍ୟେ
କିଛି ଦିନ ବାହ୍ୟ ଆଡମ୍ବର
ଦାନ ପୁଣ୍ୟ ଆତ୍ମା ମୁକ୍ତି ଅର୍ଥେ
କ୍ରମେ ଲିଭିଯାଏ ଜନ ମାନସରୁ
ଅଥଚ ଯଶ କୀର୍ତ୍ତି ଅବିସ୍ମରଣୀୟ
ଗୁଣ ଗାନ ସହ ମୂର୍ତ୍ତିମନ୍ତ ଓ ବନ୍ଦନୀୟ।
