ଜୀବନ ଚକ୍ର
ଜୀବନ ଚକ୍ର
ସମୟକୁ କେହି ପାରେନା ବାନ୍ଧି
ବୟସକୁ କରି ହୁଏନା ବନ୍ଦୀ ।
ମୃତ୍ୟୁକୁ ପାରିଛି କିଏ ବା ଜିଣି ?
ଜନ୍ମିତ ଯେ ଦିନେ ଯାଏ ମଶାଣି ।
ଜୀବନ ଚକ୍ର ତ ଚାଲେ ଅବିରତ
ତା'ପରେ ନାହିଁ କାହାରି ବା ଆୟତ ।
ଜନ୍ମନିଏ କୁଆଁ ରାବ ସହିତ
ଗେହ୍ଲବସରରେ ଶୈଶବ ଗତ ।
ଚପଳାମିରେ ବିତିଲା କୈଶୋର
ଯୌବନରେ ମନରେ ଅହଙ୍କାର ।
ପୁଣି ବଳ ଦର୍ପ କେଣେ ଯେ ଗଲା
ଉଜ୍ୱଳ ବଦନ ଫିକା ପଡିଲା ।
ଜରା ଆସି ଦ୍ୱାର ଦେଶେ ପ୍ରକଟି
ଡାକୁଛି ପୁଣି ତା'ହାତ ଠାରିଟି ।
ତା'ପର ଦ୍ୱାରଟି ବଡ ବିଷମ
ସେ ଦ୍ୱାର ରକ୍ଷକ ସାକ୍ଷାତ ଯମ ।
କହୁଥାନ୍ତି ଲୋଭ ଛାଡି ବହନ
ଫେରି ଆ 'ରେ ଆତ୍ମା ପ୍ରଭୁ ଚରଣ ।
ଜିଇଁବା ପାଇଁ କି ନକର ଆଶା
ତୁଟିଲାଣି ତୋର ସବୁ ଭରସା ।
ପୁରୁଣା ହେଲା ତୋ ଦେହ ବସନ
ନୂଆ ବସ୍ତ୍ର ପାଇଁ ଆସ ବହନ ।
ଅଛି ସୁନା ରୂପା ହୀରାର ଘଟ
ଇଚ୍ଛାମୁତାବକ ବାଛରେ ବାଟ ।
ନାନା ପ୍ରଲୋଭନେ ଡାକରା ଦେଇ
କାଳ ଡାକେ କେତେ ଆଖି ନଚେଇ ।
ବୁଦ୍ଧିଜ୍ଞାନ କ୍ଷଣେ ହୁଅଇ ଶୂନ୍ୟ
ଅଜାଣତେ ଚାଲିଯାଏ ପରାଣ ।
