ଜୀବେଦୟା
ଜୀବେଦୟା
ମାଟିରୁ ଆକାଶ ପାଣିରୁ ପବନ
ପଞ୍ଚ ମମହାଭୂତେ ଗଢା
କ୍ଷିତି ଅପ ତେଜ ମରୁତ ବ୍ୟୋମରେ
ସର୍ବପ୍ରାଣୀ ଦେହ ଗଢା||
କୋଟି କୋଟି ଜୀବେ ସମୃଦ୍ଧ ପୃଥିବୀ
ବହି ଜୈବ ବିବିଧତା
ନିଷ୍ଠୁର ମାନବ କ୍ରୁରତା କାରଣେ
ବିପନ୍ନ ସେ ବିବିଧତା||
କୋଟି କୋଟି ପ୍ରାଣୀ ଜୀବନ ଯାଉଛି
ମାନବ କ୍ରୁରତା ବଳେ
ଆତ୍ମ ତୃପ୍ତି ଲାଗି ଜୀବହତ୍ୟା କରେ
ମାନବ ଏ ମହୀ ତଳେ||
ସକଳ ଜୀବନ ଈଶ୍ବରଙ୍କ ସୃଷ୍ଟି
ସକଳର ଅଧିକାର
ଏ ଧରାଧାମରେ ସ୍ବଛନ୍ଦ ଭାବରେ
ନିର୍ବିଘ୍ନରେେ ବଞ୍ଚିଵାର||
ଏ ମୂଢ ମାନବ ନିଜ ସ୍ବାର୍ଥେ ଅନ୍ଧ
ହୋଇ କରେ ଜୀବହତ୍ୟା
ଅପର ପ୍ରାଣୀକୁ କଷଣ ଦେଇଣ
ଲିଭାଏ ଜୀବନ ସତ୍ତା||
ହେ ମଣିଷ ତୁମେ ଏଡେ ନିରିଦୟ
ହୃଦ ତୁମ କି ପାଷାଣ!
ହତ୍ୟା କରି ଦେଖ ହତ ଜୀବଟିର
କେତେ ବିକଳ କ୍ରନ୍ଦନ!!
ଭାବି ଦେଖ ଥରେ ତୁମରି ଶରୀରେ
ଆଘାତ ଜନିତ କଷ୍ଟ
ତୁମକୁ ଯେପରି କଷ୍ଟ ଲାଗୁଅଛି
ତାକୁ ଲାଗୁଥିବ କଷ୍ଟ ||
ଗଞ୍ଜା ବିଚରାର ପାଦେ କାତି ବାନ୍ଧି
ଲଢେଇ କରାଅ ତାକୁ
ତାହାର ଦେହରୁ ରକତ ଝରାଇ
ଏତେ କଷ୍ଟ ଦିଅ ତାକୁ!!
ନିଜର ପାଟିର ଲାଳସାରେ ତୁମେ
ମାରି ତା'ର ମାଂସ ଖାଅ
ହିଂସ୍ର ବ୍ୟାଘ୍ର ଯଦି ତୁମ୍ଭକୁ ଖାଇବ
କେତେ କଷ୍ଟ ହେବ କୁହ ||
ହତ ଜୀବଟିର କଷ୍ଟକୁ ଥରଟେ
ବୁଝିବାକୁ ଚେଷ୍ଟାକର
ତୁମପରି ତାକୁ କଷ୍ଟ ହେଉଥିବ
ହୃଦୟଙ୍ଗମ ତ କର ||
ଜୀବେଦୟା ଭାବ ମନରେ ଆଣହେ
କ୍ରୁରତାକୁ ପରିହର
ପଶୁପକ୍ଷୀ ବଳି କର ପରିହାର
ଫଳ ମୂଳ ଭୋଗ କର||
ପରିହର ତୁମେ ବନରେ ମୃଗୟା
ପଶୁପକ୍ଷୀଙ୍କ ଶିକାର
ସର୍ବଜୀବ ପ୍ରତି ଦୟାଭାବ ରଖ
ଯତ୍ନ ନିଅ ସଭିଙ୍କର ||
ଜୀବେଦୟା ଭାବ ମନରେ ଆଣହେ
ଶାକାହାରୀ ହେବା ଶିଖ
ସ୍ବଚ୍ଛନ୍ଦେ ନିର୍ଭୟେ ବିଚରଣେ ଛାଡି
ସର୍ବ ଜୀବ ଖୁସୀ ଦେଖ ||
ହେ ମଣିଷ ତୁମେ ପ୍ରଭୁଙ୍କ ସୃଷ୍ଟିରେ
ଅଟ ସର୍ବ ଶ୍ରେଷ୍ଠ ପ୍ରାଣୀ
ଶ୍ରେଷ୍ଠତ୍ବ ତୁମର ପ୍ରମାଣିତ କର
ଜୀବେଦୟା ଭାବଆଣି ||
ସକଳ ଜୀବର ଐକ୍ୟତ୍ବ ଭାବକୁ
ବାରେ ଅନୁଭବ କର
ନିରୀହ ଜୀବର ଅଧିକାର କଥା
ମନେରଖ ନିରନ୍ତର ||
ବିଶ୍ବ ବନ୍ୟପ୍ରାଣୀ ଆଇନ ସମେତ
ଯେତେକ ଅଧିନୀୟମ
ସବୁ ଆଇନକୁ କାର୍ଯ୍ୟକାରୀ କର
ହସିଉଠୁ ବିଶ୍ବ ଆମ ||