ଝରେ ଶ୍ରାବଣ
ଝରେ ଶ୍ରାବଣ


ଘୋଟେ ବାଦଲ ମାରେ ବିଜୁଳି
ମନକୁ ଆସେ ଭିତି
ଝରେ ଶ୍ରାବଣ ତୁମ୍ଭି ତୁଫାନ
ଭିଜି ପାରୁନି ଛାତି ।
ହେମାଳ ବାଆ ତୁହାକୁ ତୁହା
ଚାଳୁ ଗଡ଼ଇ ପାଣି
ମଝି ବାହାର ବାଟ ପ୍ରାନ୍ତର
ବୁଝି ପାରୁନି ମଣି ।
ଧନୁର ଛଟା ବରଷା କଟା
ଖରା ଛାଇର ଖେଳ
ବରଷା ରାଣୀ ଖୁସି ଗଉଣୀ
ବୁଝି ପାରୁନି ମେଳ ।
ହଲି ଦୋହଲି ପତ୍ରଟା ମେଲି
କାଚି ହେଉଛି ବର୍ଷା
ବାଟ ଗୋହିରି ବାଡ଼ି କିଆରୀ
ବିଲକୁ ଚାଲେ ଚଷା !
ସର୍ବେ ବଦନ୍ତି ମୁଖେ କହନ୍ତି
ପାଣି ଲଗେଇ ଦେଲା
ମନକୁ ଭାବେ ସାଂଗ ସ୍ଵଭାବେ
ତାଣ୍ଡବ ରଚେଇ ଗଲା ।
ପାନ ବରଜ ମାଟି ଦରଜ
ଉଲଟି ପଡ଼ିଛି ଶୋଇ
ଚିନା ବାଦାମ କ୍ଷେତ ତମାମ
ପଚି ଗଲାଣି ମହି ।
ସଜନା ଡାଳ ଭାଙ୍ଗିଛି ମାଳ
ମଥାରେ ହାତ ଦେଇ
ରାଇଁଆ ଆମ୍ବ ଦ୍ଭାଙ୍ଗିଛି ଦମ୍ଭ
ବଗିଚା ବର୍ଷେ ନାହିଁ ।
ପରିବା ବାଡ଼ି ମୁଁହ କଚାଡ଼ି
ହାମୁଡି ଯାଇଛି ନଇଁ
ବ୍ୟାଙ୍କ କରଜ ଭାରି ଦରଜ
ସୁଝିବ କେମିତି କାହିଁ ।
ବରଷା ରାଣୀ ଦୁଃଖୀନୀ ପ୍ରାଣୀ
କାନ୍ଦି ଝୁରୁଛି ଜୋର
ଦୁଃଖ
ରାଗରେ କରେ ପ୍ରହାରେ
ମେଦିନି ଥର ହର ।
ତୁମେ ମୌସୁମୀ ଧରଣୀଚୁମୀ
ଶସ୍ୟଶ୍ୟାମଳା ମାଆ
ତୁମ ଦୁଃଖରେ ତୁମ ଶୋକରେ
ଆମେ ସବୁରି ଠିଆ ।
ଗୁଣୁଗୁଣେଇ ରିମ୍ ଝିମେଇ
ଟୁପୁରୁ ଟାପୁର ପାଦେ
ପ୍ରେମ ବାହକ ମୌତ୍ରୀ ସ୍ଥାପକ
ମୃଦୁ ଆଘାତ ଛନ୍ଦେ ।
ବନ୍ୟା ପ୍ଳାବନ ଘୋର ଦୁର୍ଦ୍ଧିନ
ନ ଆସୁ ଧରାଧାମେ
ବର୍ଷା ବି ହେଉ ସୃଷ୍ଟି ବି ରହୁ
ପ୍ରକୃତିରାଣୀ ବାମେ ।
ତୁମ ମୁର୍ଚ୍ଛନା ବିରହୀ ବେଦନା
ଯକ୍ଷ ଚିଠିଟା ଧରି
ଲକ୍ଷ ନାୟିକା ଅଭି ସାରିକା
ହୃଦେ ଚନ୍ଦନ ଭରି
ବସି ଏକାକୀ ଝରକା ଦେଖି
ଭାବୁଛି ପ୍ରୀୟା କଥା
ଗାଁରେ ବସି ସେ ମିଲ୍ଲୀହସି
ବାନ୍ଧୁ ସାରିବଣି ମଥା ।
ହାତ ପ୍ରସାରୀ ପାଣିକୁ ଧରି
ଅଳପ ହସେ ଗୋରୀ
ମୋତିର ବିନ୍ଦୁ ଚିବୁକ ଇନ୍ଦୁ
ଛଟକୀ ଛଇ ଦୂରୀ ।
ତୁମେ ସୁଭାଗା ଛୁଇଁପାରୁଛ
ମୁକୁଳା ବେଣୀ ହାତ
ହୀନ ଅଭାଗା ଚାକିରୀ ମାଗା
ବିରହେ ଅତଯାତ ।
ଦୟା କରିବୁ ଆଉ ବର୍ଷିବୁ
ଆଉ ବର୍ଷକୁ ଛମଛମ
ମୋ ପ୍ରାଣପ୍ରୀୟ। ମୋ ଯୋଗମାୟା
ଝରିବୁ ଶ୍ରାବଣ ଝୁମ୍ ଝୁମ୍ ।