STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ଝୋଟିରେ ଝଟକେ ମାର୍ଗଶୀର

ଝୋଟିରେ ଝଟକେ ମାର୍ଗଶୀର

1 min
277

ଝୋଟିରେ ଝଟକେ   ମାର୍ଗଶୀର ମାସ

      ପ୍ରତି ଘରର ଅଗଣା,

ଦେବୀ ମହାଲକ୍ଷ୍ମୀ   ପୂଜା ଆରାଧନା 

      ମାଣବସା ଉପାସନା।


ଓଡିଆ ଘରର     ନୀତି ପରମ୍ପରା 

   ସାରା ବିଶ୍ଵେ ଯେ ନିଆରା ,

ପରବ ପର୍ବାଣୀ    ଓଷା ବାର ବ୍ରତ 

   ସତେ କେତେ ମନୋହରା।


ଘରେ ଘରେ ବସି   ମାଆ ଭଉଣୀଏ 

      ଆଙ୍କନ୍ତି ଯତନେ ଅତି, 

ଝୋଟିର ଝଟକ     ଘରକୁ ସୁନ୍ଦର 

      ହସ୍ତକଳା ମେହନତି। 


ଅନ୍ତରର ଭାବ   ଝୋଟିରେ ଫୁଟାଇ 

    ବିକାଶନ୍ତି ଯେ ପ୍ରତିଭା, 

ନିଜ ଗୁଣ ସାଥେ   ଐତିହ୍ୟ ଆମର 

     ବଢାଇ ଘରର ଶୋଭା। 


ମାର୍ଗଶୀର ମାସେ   ଲକ୍ଷ୍ମୀ ପାଦ ଚିହ୍ନ 

     କାରୁକାର୍ଯ୍ୟ ଚାରୁକଳା, 

ଅରୁଆ ଚାଉଳେ   ବାଟି ଯେ ପିଠଉ  

     ଲେଖିଥାନ୍ତି ଧଳା ଧଳା।  


ମାଟିର ଚଟାଣେ   ସଜ ଫୁଟା ପଦ୍ମ 

     ପରି ଦିଶେ ଦାଉ ଦାଉ,

କାନ୍ଥ ମୂଳେ ପୁଣି   ନାଚି ଉଠୁଥାଏ 

     ସତେ କି ସମୁଦ୍ର ଢେଉ। 


ଝୋଟି ରଙ୍ଗୋଲୀର  ମୁରୁଜ ସୁଷମା

     ଶିରୀ ବଢାଏ ଅଗଣା,

ନୂଆବୋହୂ ଯେହ୍ନେ ରୂପରେ ଝଟକେ

     ପିନ୍ଧି ଚାନ୍ଦିର ଗହଣା। 


ସ୍ଵଚ୍ଛ ପରିବେଶ  ଭଲ ରଖେ ସ୍ଵାସ୍ଥ୍ୟ

     ରୋଗ ଶୋକ ହୁଏ ଦୂର,

ସୁନ୍ଦର ଜୀବନ   ସୁନାର ସଂସାର

      ଗଢିଦିଏ ନିରନ୍ତର।


ଅତୀତର ପ୍ରଥା    ଆଜିର ସଭ୍ୟତା 

     ମନୁ ଦିଅଇ ପାଶୋରି,

କୃତ୍ରିମ ରଙ୍ଗରେ   ଆଙ୍କି ଦିଏ ଯାହା 

   ତା' ସାଥେ କି ହେବ ସରି ।


ଉଗ୍ର ଆଧୁନିକ    ଯୁଗରେ ମଣିଷ

     ଭୁଲେ ପରମ୍ପରା ପ୍ରଥା,

ହେତୁବାଦୀ ଜ୍ଞାନେ କରେ ଉପହାସ

     ଭାବେ ଏ ସବୁ ଅଯଥା।


ଝୋଟି ଆଙ୍କିବାର  ମହନୀୟ କଳା 

    ଆଜିର ଯୁଗରେ ହେୟ ,

ଅନୁରୋଧ କରେ  ମାଆ ଭଉଣୀଙ୍କୁ

     ଯତନେ କରିବେ ଧେୟ।


ଅତୀତ ଭିତରେ   ଛପି ରହିଅଛି

     ପୂର୍ବଜଙ୍କ କେତେ ସ୍ମୃତି, 

ଆଶୀର୍ବାଦ ରୂପେ  କଲ୍ୟାଣ କରିବ 

      ଆଣି ଆମର ପ୍ରଗତି।

   


Rate this content
Log in

Similar oriya poem from Abstract