ଜହ୍ନର ଠିକଣା
ଜହ୍ନର ଠିକଣା
ଜହ୍ନ!
କାହିଁ କେବେଠୁ ସେ ସେଇଠି
ଓହଳିଛି ଆକାଶ ଛାତିରେ,
ଖେଳୁଛି ଶୁନ୍ୟତାର କୋଳରେ,
ଆଉ ପହଁରୁଛି ଆଞ୍ଜୁଳେ ପବନରେ।
ସେ କେବେ ଶୁକ୍ଳପକ୍ଷ ସାମ୍ରାଜ୍ୟର
ବେଖିଆଲ ରାଜକୁମାର,
ପୁଣି କେବେ କୃଷ୍ଣପକ୍ଷ ମୂଲକର
ହାତେ ଓଢଣୀତଳ ଭୁଆଶୁଣି।
ତାକୁ ଦେଖି ଚିଇଁକି ଉଠନ୍ତି
କଅଁଳ ଓଠଧାରେ ହସମାନେ,
କିନ୍ତୁ, କେବେ ପାଆନ୍ତିନି
ସେ ଅଜବ ଜହ୍ନର ଗଜବ ଠିକଣା!
ଲୁହମାନେ ତା' ପାଇଁ ନିରନ୍ତର ଲେଖନ୍ତି କବିତା
ହାତେ ଧରି ପ୍ରେମର ପୋଥି,
ଝରକା ଉହାଡୁ ନିଶାର୍ଦ୍ଧରେ
ଖୋଜିବୁଲନ୍ତି ତା' ଅଦୃଶ୍ୟ ଠିକଣା
ପଠାଇବାକୁ ବିରହ ଚିଠି.....।
ଏଠି ସ୍ବପ୍ନମାନେ ଅହରହ ଅଗଣା ସଜାନ୍ତି
ପାଇବାକୁ ତା'ଠାରୁ ଚିମୁଟେ ଚହଟ!
ସେ ତ' ବୁଢ଼ୀମା ଗପର ଅପହଞ୍ଚ ଠିକଣା,
ପ୍ରେମ ଇଲାକାର କଳଙ୍କ ପାଉଣା,
କିଏ ବା ଦେଇପାରିବ ତା' ସାମ୍ରାଜ୍ୟ ଠିକଣା?
ଜଳାଗ୍ନ କଇଁ କୁଆଡେ-
ତା' ବିନ୍ଦୁଏ ଜ୍ୟୋସ୍ନାର ଫୁଲେଇ ପ୍ରେମିକା!
ପ୍ରତିରାତି ତା' ପାଖେ ହୁଏ ପ୍ରତାରିତ
ପ୍ରତାରିତ ଦେହେ ତା'ର କୋହଭର୍ତ୍ତି ହସ,
ତଥାପି ସେ ପାଇନାହିଁ ଜହ୍ନର ଠିକଣା!
ପଚାରିଲେ ସ୍ମିତ ହସି କହୁଥାଏ-
ମୁଁ ଆଜିବି ଅଜଣା!
ହଁ, ମୁଁ ଆଜିବି ଅଜଣା!
