ଜହ୍ନମାମୁଁ ଅଟେ ସେହି
ଜହ୍ନମାମୁଁ ଅଟେ ସେହି
ରୂପ ,ରଙ୍ଗ ଆଉ ବିଷୟବସ୍ତୁରେ
ମନ ନେଉଥିଲା ମୋହି ,
ଅତି ପରିଚିତ, ଶିଶୁଙ୍କ ପତ୍ରିକା
'ଜହ୍ନମାମୁଁ' ଅଟେ ସେହି ।
ପ୍ରଚ୍ଛଦ ଯେମିତି ,କାହାଣୀ ସେମିତି
ମନକୁ ଛୁଇଁଲା ଭଳି ,
ସୂଚୀପତ୍ର ଠାରୁ ସଂପାଦକୀୟ ଯେ
ଛବି ତାହା ଠାରୁ ବଳି ।
ବିଜ୍ଞାପନ ସହ ବିଶ୍ୱ-ବାତାୟନ
ଇତିହାସ, କିମ୍ବଦନ୍ତୀ ,
କାଳ୍ପନିକ ପୁଣି ବଡ଼ମଣିଷଙ୍କ
କଥା ବି ସରସ ଅତି ।
ବିକ୍ରମ ବେତାଳ କାହାଣୀ ଗୋଟିକ
ଶିହରଣ ସୃଷ୍ଟିକାରୀ ,
ପ୍ରତିଥର ଆସେ ନୂଆ ନୂଆ ଗପ
ଦିଅଇ ଆନନ୍ଦ ଭାରି ।
ଧାରାବାହିକ ବି ଗପ ରହିଥାଏ
ରହସ୍ୟ ରୋମାଞ୍ଚ ଭରା ,
ଦେଶ ବିଦେଶର ଲୋକକଥା
ପଢ଼ି ହୋଇଯାଏ ଆତ୍ମହରା ।
ପୁରାଣ ପ୍ରସଙ୍ଗ ସହ ରହିଥାଏ
କେତେ କେତେ ନୀତିଶିକ୍ଷା ,
ପଚିଶ ବର୍ଷର ପୁରୁଣା କାହାଣୀ
ସଙ୍ଗେ ହୋଇଯାଏ ଦେଖା ।
ଭିତରେ ବିଜ୍ଞାନ ଖବର ସାଙ୍ଗକୁ
ଜଣା ଓ ଅଜଣା ତଥ୍ୟ ,
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରୁ କିଞ୍ଚିତ
ଜ୍ଞାନଟି ହୁଅଇ ପ୍ରାପ୍ତ ।
ଭାରି ମଜା ଲାଗେ କାର୍ଟୁନ କଥାଟି
ଯେମିତି ଜୀବନ୍ତ ଅଟେ ,
ଫଟୋ ପରିଚୟ ପ୍ରତିଯୋଗିତାରେ
ଭାଗନେଇ ଚିଠି ଲେଖେ ।
ସତ କହିବା ଯେ ବିନୟୀ ହୋଇବା
ସାହାଯ୍ୟ କରିବା କଥା ,
ପରିଶ୍ରମୀ ହେବା କଳ୍ପନା କରିବା
ପଢ଼ି ଶିଖିଅଛି ଯଥା ।
ଅନୁପ୍ରାଣିତ ମୁଁ ହୋଇଛି ନିଶ୍ଚିତ
ଏଇ ଜହ୍ନମାମୁଁ ପଢ଼ି ,
ସେଇ ଅନୁଯାୟୀ ଜୀବନକୁ ମୋର
ପାରିଛି କିଛିଟା ଗଢ଼ି ।