ଜହ୍ନ ଓ ମନ
ଜହ୍ନ ଓ ମନ
ପ୍ରୀତିର ଜ୍ୱଳନ ଅସହ୍ୟ ହୋଇଲେ
ହୃଦୟ ପାରେନି ସହି
ଆକାଶେ ଚନ୍ଦ୍ରମା ଲୁଚକାଳି ଖେଳେ
ସରସୀରେ କାନ୍ଦେ କଇଁ I
କେତେ କବି ପ୍ରାଣ ନୟନ ପିତୁଳା
କେତେ ଯେ ଆଖିର ସ୍ୱପ୍ନ
ତା' ପାଇଁକି ଝରେ ପ୍ରୀତି ମନ୍ଦାକିନୀ
ଜଳେ ଅଭିମାନୀ ମନ I
ହୃଦୟୁ ଝରିଲେ ପ୍ରୀତିର ଅମୃତ
ଜେଛନା ଢାଳିଲେ ଜହ୍ନ
ବିଦଗ୍ଧ ପ୍ରାଣରେ ଶୀତଳତା ଭରେ
ଶାନ୍ତ ହୋଇଯାଏ ମନ I
ପୁନେଇଁ ରାତିର ଜହ୍ନ ଦେଖିଦେଲେ
ଅନ୍ଧାର ଭୁଲଇ ଦୁଃଖ
କଅଁଳି ଉଠଇ ବୟସର ଡେଣା
ଦିଶିଯାଏ ପ୍ରିୟା ମୁଖ I

