ଜହ୍ନ ଲୁଚନାରେ
ଜହ୍ନ ଲୁଚନାରେ


ଏ ରାକା ନିଶିରେ,ଜହ୍ନ ଲୁଚନାରେ,
ସମୟ ହୋଇନି ଶେଷ,
ସବୁ ସ୍ମୃତି ଆଜି,ଜୋଛନାରେ ହଜି
କରନ୍ତି ସ୍ୱପ୍ନବିଳାସ ,
କେଉଁ ଉପବନ ନିଶିଗନ୍ଧାରେ ମୋ
ବିଭୋର ହୁଏ ନିଃଶ୍ବାସ।।
ମନ ଅଳକାର ତୀରେ ଦିନେ ବସି
ଦେଇଥିଲୁ ପରିଚୟ,
ସେହି ପରିଚୟ ସମ୍ପର୍କ ହେବାକୁ
ଲାଗିଲା ଏତେ ସମୟ,
ପ୍ରତିଶ୍ରୁତି କବିତାର ସୁରେ ସୁରେ
ଝରାଇଲୁ ମଧୁ ହସ,
ଏ ରାଜା ନିଶିରେ ଜହ୍ନ ଲୁଚନାରେ ସମୟ ହୋଇନି ଶେଷ।।
ଆଜି ଏ ରାତିରେ ନେବାକୁ ବିଦାୟ
ତରତର ହେଉ କିଆଁ,
ଶୁଭେ ଦୂରବନେ ବଇଁଶୀର ସୁର
ମନରେ ଲାଗିଛି ନିଆଁ,
ନୀରବରେ ଶୁଣିବାକୁ ସେ ସୁରକୁ
ଜହ୍ନ ମୋ ପାଖରେ ବସ,
ଏ ରାକା ନିଶିରେ ଜହ୍ନ ଲୁଚନାରେ ସମୟ ହୋଇନି ଶେଷ।।
ତୋ ଶୀତଳତାରୁ ଦେଇ ଆଞ୍ଜୁଳାଏ
ଯିବୁ ଯେବେ ଯାଆ ଜହ୍ନ,
ପ୍ରତିଶ୍ରୁତି ଦେଇ ଯାଆ ଫେରିବାକୁ
ଡାକିବ ଯେବେ ମୋ ମନ,
ତୁ ପାଖରେ ଥିଲେ ଏ ଶୀତ ରାତିର
ହୁଏନି ବୟସ ଶେଷ,
ଏ ରାକା ନିଶିରେ ଜହ୍ନ ଲୁଚନାରେ ସମୟ ହୋଇନି ଶେଷ।।