ଝିଅକୁ ନମଣ ହେୟ
ଝିଅକୁ ନମଣ ହେୟ
ଝିଅ ବୋଲି ମୋତେ ହେୟ ଭାବ ନାହିଁ
କାଲି ହେବି ମୁହିଁ ମାଆ
ଦୁଇ କୁଳ ହିତ ସାଧିବି ନିଶ୍ଚିତ
ସଂସାରକୁ ହେବି ସାହା |
ପାଠରେ ଶାଠରେ ପୁଅଙ୍କୁ ପଛରେ
ଅଚିରେ ପକାଇ ଦେବି
ସଂସାର କରିବି ଚାକିରୀ କରିବି
ସଦା ମିଷ୍ଟଭାଷୀ ହେବି |
କୁଳ ମାନ ରଖି ଶାଶୁ ଶ୍ୱଶୁରଙ୍କ
ସେବାରେ ହୋଇବି ରତ
ନଣନ୍ଦ ଦେବର ଦେଢଶୁରଙ୍କର
ମନ ନେବି ଅବିରତ |
ସ୍ୱାମୀ ଥଲେ କତି ଏସବୁ ଶକତି
ମିଳିଯିବ ଚାହୁଁ ଚାହୁଁ
ସ୍ୱାମୀ ମୋ ସୋହାଗ ସ୍ୱାମୀ ମୋର ଦମ୍ଭ
ନାଶନେ ବିପଦ ରାହୁ |
ପୁଅ ଝିଅଙ୍କର ଅଳି ଅରଦଳି
ସବୁ ମୁଁ ସମ୍ଭାଳି ନେବି
ଭଲ ବୋହୂ ହେବି ଆଦର ପାଇବି
ସମସ୍ତଙ୍କୁ ଖୁସି ଦେବି |
ଦିନେ ଘରୁ ଦୂର ହେଲେ ପରିବାର
ହେଉଥିବ ମୋତେ ଝୁରି
ଦିଅର ନଣନ୍ଦ ପୁତୁରା ଝିଆରୀ
ଅଭିମାନେ ଥିବେ ପୂରି |
ପତିଙ୍କ ଅନ୍ତର ଫାଟି ପଡୁଥିବ
ବିରହ ଅନଳ ଜାଳେ
ଖାଇବାକୁ ଭାତ ଶାଶୁଙ୍କର ହାତ
ଯିବନାହିଁ ଯଥାକାଳେ |
ଚାରିଦିନ ମାତ୍ର ଚାରିଯୁଗ ସମ
ଲାଗିବ ତାଙ୍କୁ ଯେସନେ
ଏମିତି ଆଦର୍ଶ ବୋହୁ ମୁଁ ହୋଇବି
ରହିବି ସବୁରି ମନେ |
ଚୂନା ଘରକୁ ମୁଁ ସୁନା କରିଦେବି
ମୋ କୁହୁକ ପରଶରେ
ଝିଅ ବୋଲି ମୋତେ ପକ୍ଷପାତ କଲେ
ମରିଯିବି ନୈରାଶ୍ୟରେ |
