ଝିଅ ଆମ ଅମୂଲ୍ୟ ରତନ
ଝିଅ ଆମ ଅମୂଲ୍ୟ ରତନ
ଝିଅଟିଏ ବୋଲି ଅନାଦର କରୁ
ନୁହେଁ କି ତୋର ସନ୍ତାନ
ସେନେହ ଶରଧା ପାଇବାକୁ ଟିକେ
ବ୍ୟାକୁଳିତ ତା'ର ମନ l ୧
ଗାଳି ଶୁଣୁ ଅଛି ମାଡ଼ ଖାଉଅଛି
ମାଜେ ଅଇଁଠା ବାସନ
ଠେଲି ଦେଲୁ ତୁହି ମରଣ ମୁହଁକୁ
ହେବା ପାଇଁ ହିନିମାନ l ୨
ପଢ଼ିବା ଖେଳିବା ସମୟରେ ତା'ର
କରାଉ ଶିଶୁ ଶ୍ରମିକ
ପର ଘର ଠାରେ ପାଇଟି କରାଉ
ତୋର ଜୀବନକୁ ଧିକ । ୩
ପଶୁ ଠାରୁ ତୁହି ହୀନ ହୋଇ ଗଲୁ
ନାହିଁ ତୋର ମାନବିକ
କେଇ ଟଙ୍କା ପାଇଁ ବିକି ଦେଉ ଅଛୁ
ନିଜ ଛୁଆଟିକୁ ଦେଖ l ୪
କ°ସେଇ ହାତରେ ଛେଳି କୁକୁଡ଼ାର
ଉନ୍ନତି ହେବକି ଭାଇ
କେତେ ସୁରକ୍ଷିତ ଝିଅଟି ତୋହର
ଦଲାଲ ସାଥିରେ ଥାଇ l ୫
ଝିଅମାନେ ଆଜି ପାଠ ପଢ଼ି କେତେ
କରନ୍ତି ଦେଶର କାମ
କଳ୍ପନା ଚାୱଲା ମହାକାଶ ଯାଇ
ରଖିଲା ଦେଶର ନାମ l ୬
ପି.ଟି. ଉଷା ଯେ ଦଉଡ଼ର ରାଣୀ
ବୋଲାଏ ଜଗତ ଯାକ
ନନ୍ଦିନୀ ଶତପଥୀ ମୁଖ୍ୟ ମନ୍ତ୍ରୀହୋଇ
ରଖିଲା ଉତ୍କଳ ଟେକ l ୭
ଶିକ୍ଷିତା ଯୋଗୁଁ ହେ ଇନ୍ଦିରା ଗାନ୍ଧୀ ଯେ
ଦେଶର ପ୍ରଧାନ ମନ୍ତ୍ରୀ
ଲୋକ ସେବାକରି ମଦର ଟେରେସା
ହୋଇଲା ଦେଶର ଶିରୀ l ୮
ରାଜନୀତି ଠାରୁ ଧର୍ମ ନୀତି ଯାଏ
ସବୁଠି ଝିଅର ସ୍ଥାନ
ମୁଖାଗ୍ନି ଦେବାକୁ ସମାଜରେ ଆଜି
ଝିଅ ପାଏ ସନମାନ l ୯
ଜିଲ୍ଲାପାଳ ଠାରୁ ରାଷ୍ଟ୍ରପତି ଯାଏ
ଆମ ଝିଅ ଯୋଗ୍ୟା ହୁଏ
ଦେଶ ରକ୍ଷା ପାଇଁ ହାତେ ଅସ୍ତ୍ର ଧରି
ସେନା ନାୟକ ବୋଲାଏ l
ଝିଅକୁ ତୋହର ଘରେ ରଖ ନାହିଁ
ଚୁଲି ଫୁଙ୍କିବାର ପାଇଁ
ପଢ଼ାଇବା ପାଇଁ ଶପଥ କରତୁ
ଏ ଦେଶର ମାଟି ଛୁଇଁ l ୧୧
ଘରକୋଣେ ବସି ଝିଅଟି ତୋହର
ଆଖିରୁ ଝରାଏ ଲୁହ
ତତେ ପଚାରୁଛି କାହିଁକି ହେ ବାପା
ସ୍କୁଲ ନ ପଠାଇଲ କୁହ l ୧୨
ଅପାଠୁଆ ବୋଲି ଝିଅଟି ତୋହର
ଶାଶୁଘରେ ପାଏ ଦୁଃଖ
ହିସାବ କିତାବ ଜାଣି ନ ଥିବାରୁ
ଲୋକେ ଠକୁଛନ୍ତି ଦେଖ l ୧୩
ବଦଳୁଛି ଯୁଗ ଆରେ ଭାଇ ଦେଖ
ହୁଅ ନାହିଁ ନୀଚ୍ଚମନା
ପୁଅ ଝିଅ ଆଜି ସଭିଏଁ ସମାନ
ମଣିଷ ରୂପରେ ଗଣା l ୧୪
ପାଠ ପଢ଼ି ଝିଅ ଶିକ୍ଷିତା ହୋଇଲେ
ସୁଖ ତୁ ପାଇବୁ ଭାଇ
ସମାଜରେ ତୋତେ ମାନ ସନମାନ
ମିଳିବ ଜାଣିଥା ତୁହି l ୧୫
ପାଠୋଇ ଝିଅର ବାପା ସେ ଅଟଇ
ବୋଲିବେ ଜଗତ ଯାକ
ପାଠୋଇ ଝିଅଟି ଘରେ ତୋରଥିଲେ
ବଦଳି ଯିବ ତୋ ଭେକ l ୧୬
ଆଜି ତୋରଝିଅ କାଲି ତା'ର ବୋହୂ
ପାଠ ପଢ଼ିଥିଲେ ଜାଣ
ଶ୍ୱଶୁର ଘରରେ ଆଦର ପାଇବ
ରହିବ ତୋ ଟେକ ପଣ l ୧୭
ଘଡ଼ିକି ଘଡ଼ିଏ ବଦଳୁଛି ନିତି
ରାଇଜ ଯାକର କଥା
ପଢ଼ି ଶୁଣାଇବ ଖବରକାଗଜ
ସୁଦୂର ବନ୍ଧୁର ବାର୍ତ୍ତା l ୧୮
ମିଳିମିଶି ଆମେ ଗଢ଼ିବାରେ ଆସ
ନୂତନ ଶିକ୍ଷା ସମାଜ
ଯେଉଁ ଥିରେ ଭାଇ ନଥିବ ତିଳେହେଁ
ପୁଅ ଝିଅ ଭେଦ ଭାବ l ୧୯
ପଢ଼ିବା ଖେଳିବା ସମୟଟି ତା'ର
କାମ କରିବାକୁ ନୁହେଁ
ଆଗେଇ ଆସହେ ପଢ଼ାଇବା ପାଇଁ
ମା' ବାପା ମିଶି ଦୁହେଁ l
