ଜଗତର ନାଥ
ଜଗତର ନାଥ
ଜଗତର ନାଥ ତୁମେ ଜଗନ୍ନାଥ
ଅପାର ଶକତି ତୁମର
ତୋହରି ନାମକୁ ଶୁଣିବା ମାତରେ
ସରବେ ହୁଅନ୍ତି ଜୁହାର
କି ଗୁଣି କରିଛ ବୁଝି ହେଉ ନାହିଁ
ସବୁଠି ହୁଏ ଜୟକାର
ପୁରପଲ୍ଲୀ ଠାରୁ ସହର ବିଦେଶେ
ଭକ୍ତିରେ ହୁଅନ୍ତି ବିଭୋର
ଜାତି ଧର୍ମ ବର୍ଣ୍ଣ ସବୁରି ମୁଖରେ
ରହିଅଛି ତୁମରି ନାମ
ତୋର ଚକା ଆଖି ଥରେ ଦେଲେ ଦେଖି
ପୂରଣ ହୁଏ ସବୁ କାମ
ବରଷକେ ଥରେ ରଥ ଜାତରାରେ
ବଡ ଦାଣ୍ଡେ ଦିଅ ଦର୍ଶନ
ବହୁ ଶରଧାରେ ନାଚି ଗାଇ ଗୀତ
ଝୁମିଯାନ୍ତି କରି କୀର୍ତ୍ତନ
ଶଙ୍ଖ ଧ୍ୱନି ସାଥେ ମୃଦଙ୍ଗର ତାଳେ
କମ୍ପିଯାଏ ପୁରା ସଂସାର
ହରିବୋଲ ଆଉ ହୁଳହୁଳି ଦେଇ
ଟାଣିଥାନ୍ତି ରଥ ତୋହର
ଛୋଟ ବଡ଼ ରଥେ ବସି କରି ତୁମେ
ବୁଲିବୁଲି ଶୁଣ ଯେ ଦୁଃଖ
ରଥର ଦଉଡି ଛୁଇଁ ଦିଏ ଯିଏ
ପାଇଯାଏ ସେ ସବୁ ସୁଖ
କରୁଣା କରହେ ବସି ଦିବ୍ୟ ରଥେ
ଦୂର କର ସବୁ ଅନ୍ୟାୟ
ଇଛାମୟ ପ୍ରଭୁ ତୁମରି ଇଚ୍ଛାରେ
ଧାରା ହେଉ ମଙ୍ଗଳମୟ