ଜଗତ ଗାଇବ ବନ୍ଧୁତ୍ୱ ଗାଥା
ଜଗତ ଗାଇବ ବନ୍ଧୁତ୍ୱ ଗାଥା
ଜନମରୁ ମୃତ୍ୟୁ ଜୀବନ ଯାତ୍ରାରେ
ନାନା ସମ୍ପର୍କରେ ମଣିଷ ବନ୍ଧା
ସବୁଠୁ ସୁନ୍ଦର ନିଆରା ସମ୍ପର୍କ
ବନ୍ଧୁତ୍ୱର ଡୋରେ ଜୀବନ ଛନ୍ଦା
ବାଲ୍ୟକାଳଠାରୁ ବୃଦ୍ଧବେଳଯାଏଁ
ବନ୍ଧୁ ରୂପେ ଯୋଡି ସମ୍ପର୍କ ଖିଅ
କେତେ ଭାବାବେଗ ସ୍ମୃତିର ସୁରଭି
ଭରି ଦେଇଥାନ୍ତି ଆମ ହୃଦୟ
ପ୍ରକୃତ ବନ୍ଧୁ ଯେ ସାଥେ ରହିଥାଏ
ଦୁଃଖ ଅବା ସୁଖ ପ୍ରତି ମୁହୂର୍ତ୍ତେ
ଦୁଃଖେ ଆଶ୍ୱାସନା ଭରିଥାଏ ମନେ
ସୁଖେ ଧରୁଥାଏ ହସ୍ତକୁ ହସ୍ତେ
ଭଲ ମନ୍ଦ ଗୁଣ ପରଖି ନିଏ ସେ
ମନ୍ଦ ଗୁଣ ଦୂର କରିବା ପାଇଁ
ନାନା ଉପଦେଶ ଦେଇଥାଏ ନିତି
ତିଳେ ହେଲେ ଦ୍ଵିଧା ରଖଇ ନାହିଁ
ସଫଳତା ଦେଖି ଈର୍ଷା କରେ ନାହିଁ
ନିର୍ମଳ ମନରେ ପ୍ରେରଣା ଦିଏ
ବିଶ୍ୱାସ ଭରସା ଭାଙ୍ଗେ ନାହିଁ କେବେ
ଆପଣା ପଣରେ କୋଳେଇ ନିଏ
ଶାଶ୍ୱତ ପବିତ୍ର ବନ୍ଧୁତ୍ୱ ସମ୍ପର୍କ
ମାନ ରଖିଥାଏ ପ୍ରକୃତ ମିତ୍ର
ଧନୀ କି ଗରିବ ଜ୍ଞାନୀ କି ମୁରୁଖ
ବନ୍ଧୁତାରେ କେବେ ଭାବେନା ଚିତ୍ତ
ପ୍ରକୃତ ବନ୍ଧୁର ପରିଭାଷା ବିଶ୍ୱେ
ରଚିଯାଇଛନ୍ତି କୃଷ୍ଣସୁଦାମ
ଉଚ୍ଚନୀଚ୍ଚ ଭାବ ନଥିଲା ମନରେ
ଭରିଥିଲା ଦୁଇ ହୃଦୟେ ପ୍ରେମ
ଅଧୁନା ଯୁଗରେ ସେମିତି ବନ୍ଧୁଟେ
ମିଳିଯିବା ବଡ଼ ଭାଗ୍ୟର କଥା
ଈଶ୍ୱର ସମାନ ସେ ବନ୍ଧୁର ପ୍ରାଣ
ଜଗତ ଗାଇବ ବନ୍ଧୁତ୍ୱ ଗାଥା
