ଜଗନ୍ନାଥ ହେ ତୁମେ କେଡ଼େ ସୁନ୍ଦର
ଜଗନ୍ନାଥ ହେ ତୁମେ କେଡ଼େ ସୁନ୍ଦର
ମହୋଦଧି କୂଳେ ଶ୍ରୀବଡ଼ଦେଉଳେ ବସି
ଲଗାଇଛ କେତେ ହୁନ୍ଦର l
ଭକତର ଶ୍ରଦ୍ଧା ଭାବେ ହୋଇ ବନ୍ଧା
କେତେ ବେଶ ହୁଅ ଥରକୁ ଥର l
ମଙ୍ଗଳ ଆଳତି ଦେଖି ଚଳେ ମତି ଅତି
ମନ ଲୋଭା ବଡ଼ସିଂହାର l
ଗଜ ଉଦ୍ଧାରଣ, କାଳୀୟ ଦଳନ କେତେ
ଲୀଳା କରୁ ହେ ଚକ୍ରଧର l
ରାଜରାଜେଶ୍ୱର ସୁନାବେଶ ତୋର
ଅଇଶ୍ୱର୍ଯ୍ୟ ମୟ ଅତି ସୁନ୍ଦର l
ରଘୁନାଥ ବେଶ ହୋଇ ତୁ ସୁବେଶ
କରେ ଧରୁ କାଣ୍ଡ କୋଦଣ୍ଡ ଶର l
ଗଜ ବେଶେ ଗଜାନନ ଥୋଡ଼ ହସ୍ତ
ବଡ଼ ବଡ଼ କାନ ଲମ୍ବା ଉଦର l
ନାଗାର୍ଜୁନ ବେଶ ବୀରତ୍ୱ ପ୍ରକାଶ
କୁକ୍କୁଟ ପରରେ ମୁକୁଟ ତୋର ।
କାର୍ତ୍ତିକ ମାସର ରାଇ ଦାମୋଦର
ଯଶୋଦା ବାନ୍ଧିଲେ ଦାମେ ଉଦର l
ଶ୍ରାଦ୍ଧ ବେଶେ ପୁଣି ଶ୍ରାଦ୍ଧ ବାଢ଼ିଦେଉ
ତିନି ଯୁଗେ ତୋର ପିତୃ ପିତର l
ମାନୁଷୀ ଲୀଳା ତୋ ମନୁଷ୍ୟ ଦେବତା
ବାର ମାସେ ତୋର ଯାତରା ତେର l
ମଣିଷକୁ ଶିକ୍ଷା ବାଣ୍ଟି ଦେଉ ଦୀକ୍ଷା
ବାହୁ ତୋଳି ପ୍ରଭୁ ରଙ୍ଗା ଅଧର l
ଖାଇ ପୋଡ଼ପିଠା ଲାଞ୍ଚ ଦେଇ ମିଠା
ପଦ୍ମା ରୋଷ ତୋଷୁ କମଳା ବର l
ଭକ୍ତ ମନୋହରେ ଅତୀବ ଆଦରେ
ପଦ୍ମ ବେଶ ହେଲୁ ପଦ୍ମ ପୟର l
ପଦ୍ମମୁଖ ଆହେ ପଦୁଅଁ ମୟୂଖ ପଦ୍ମ
ପାଦେ ଚିନ୍ତେ ଅଜ୍ଞାନୀ ଛାର l