ତୁମପରି ଛୋଟପିଲା
ତୁମପରି ଛୋଟପିଲା
ଶୁଣ ଶୁଣ ପିଲେ କହିବି କଥାଏ
ତୁମପରି ଛୋଟପିଲା
ଜନମି ଉତ୍କଳେ କାଳ କାଳପାଇଁ
ଯଶ ରଖିଦେଇ ଗଲା l
ପିଲାଦିନେ ଥରେ ସେହି ପିଲାଟି ତା
କଲା ସାଙ୍ଗ ସାଥି ମେଳ
ସବୁ ସାଥି ମିଳି ଗୋଡ଼ି ବାଲି ଢାଳି
ଦାଣ୍ଡ କଲେ ସମତୁଲ l
ଗୁରୁଜୀ କହିଲେ ଏପିଲାଟି ଦିନେ
ହେବ ନିଶ୍ଚେ ବଡ଼ଚାଟ
କାଳ କାଳ ପାଇଁ ଯଶ ରଖିଯିବ
ପଢ଼ିବ ବହୁତ ପାଠ l
ତୁଳସୀ ବାସନା ଦୁଇ ପତ୍ରୁ ସିନା
ବଡ଼ହେଲା ସେହି ପିଲା
ବହୁବିଦ୍ୟା ସାଧି ହେଲା ବିଦ୍ୟାନିଧି
ବାରିଷ୍ଟର ବୋଲାଇଲା l
ଏ ଜାତିକୁ ଡାକି କାନ ଦେଲା ଫୁଙ୍କି
ଉଠରେ ଓଡ଼ିଆ ଭାଇ
ତୋ ପୂର୍ବ କୀରତି ଗୋଉରବ ଗୀତି
ମନେ କି ପଡ଼ଇ ନାହିଁ l
ତୋ ପୂର୍ବ ପୁରୁଷେ ଜୟ କରିଥିଲେ
ଗଙ୍ଗାଠାରୁ ଗୋଦାବରୀ
ଧନ ଦୋଉଲତ ବୋହି ଆଣୁଥିଲେ
ବୋଇତରେ ପୂର୍ଣ୍ଣ କରି l
ହୀନବଳ ହୋଇ କିଆଁ ଅଛ ଶୋଇ
ଜନନୀ ତୋର କାନ୍ଦଇ
ଖଣ୍ଡିତ ଉତ୍କଳ, ମଣ୍ଡିତ ହେବକି
ସ୍ବାର୍ଥରେ ହୋଇଛ ବାଇ l
ସ୍ବାର୍ଥେ ଥିଲେ ମାତି ଚାଲିବ କି ଜାତି
ଚାଲିବକି ନନ୍ଦିଘୋଷ
ଆସ ସର୍ବେ ପାତି ମିଳାଇବା ଛାତି
ଡାକଦେବା ନିକାଦ୍ରୀଶ l
ଶୁଣଶୁଣ ପିଲେ ଚେଇଁ ଶୋଇଥିଲେ
ଏ ଓଡ଼ିଆ ବୀର ଜାତି
ସ୍ଫୁଲିଙ୍ଗ ଲଗାଇ ଦେଲା ସେ ଜଗାଇ
ନବ ଜାଗରଣ ତାତି l
ସେହି ଆମ ଗର୍ଵ ଉତ୍କଳ ଗୌରବ
ଏ ଜାତିର କର୍ଣ୍ଣଧାର
ଏ ଜାତିର ପ୍ରାଣ ଶ୍ରୀ ମଧୁସୂଦନ
କୁଳବୃଦ୍ଧ ଉତ୍କଳର l
ଜନନୀ ଜନମ ଭୂମି ଜାଣ ପିଲେ
ସ୍ୱର୍ଗାଦପି ଗରୀୟସି
ଏହି ଅଟେ ଶିକ୍ଷା ଏହିଅଟେ ଦୀକ୍ଷା
ମଧୁ କହିଲେ ଆଭାଷି l