ଜଘନ୍ୟ ଷଡ଼ଯନ୍ତ୍ର
ଜଘନ୍ୟ ଷଡ଼ଯନ୍ତ୍ର
ତ୍ରିପୁର ବିଜୟୀ ବିଶ୍ରବା ତନୟୀ
ସୁନାପୁର ଅଧିଶ୍ୱର
ଦେବ ନାଗ ନର ଗନ୍ଧର୍ବ କିନ୍ନର
ତା ପ୍ରତାପେ ଥରହର |
ରାଣୀ ମନ୍ଦୋଦରୀ ଅନିନ୍ଦ୍ୟା ସୁନ୍ଦରୀ
ଯାର ପ୍ରାଣ ପ୍ରଣୟିନୀ
ପ୍ରିୟତମା ପତ୍ନୀ ଅତି ଗୁଣବତୀ
ରାଜ୍ଞ ମାନସ ମୋହିନୀ |
ବସାଇ ଅଙ୍କରେ ଦିନେ କୌତୁକରେ
ପଚାରିଲା ଲଙ୍କେଶ୍ୱର
ଲଙ୍କା କଟକର ସବୁଠୁଁ ସୁନ୍ଦର
କେ ଅଟେ ପୁରୁଷ ବର |
ହସି ମଲ୍ଲୀହାସୀ ବଚନ ପ୍ରକାଶି
ଶୁଣ ଆହେ ପ୍ରାଣେଶ୍ୱର
ସବୁଠୁଁ ସୁନ୍ଦର ଶ୍ରେଷ୍ଠ ବୀରବର
ବିଦ୍ୟୁତଜିହ୍ୱା ଦୈତ୍ୟ ବର |
ତୁମ୍ଭ ଭଗ୍ନୀପତି ରୂପେ ରତିପତି
ପ୍ରିୟ ଜାମାତା ଆମ୍ଭର
ଶୁଣି ଏ ବଚନ ମରିଗଲା ମନ
ନିଜକୁ ମଣେ ଇତର |
ଚିନ୍ତେ ବୈଶ୍ରବଣ ମୋର ପ୍ରିୟା ମନ
ସୂର୍ପଣଖା ପତି ପ୍ରତି
ହୋଇବ ଆକୃଷ୍ଟ ହେଉ ଅଛି ଦୃଷ୍ଟ
ସାଜିବ ଦିନେ ବିପତ୍ତି |
ବିଦ୍ୟତଜିହ୍ୱା କଣ୍ଟା କରିବାକୁ ସଫା
ଷଡ଼ଯନ୍ତ୍ର ଅନୁକ୍ଷଣ
ଶକ୍ତି ପରୀକ୍ଷଣ ପାଇଁ ରଣାଙ୍ଗନ
କ୍ରୀଡା କଲା ଆୟୋଜନ |
ଜାମାତା ସହିତ ଲଢ଼ିବା ନିମିତ୍ତ
କେହି ନୋହିଲେ ସମର୍ଥ
ଅତିକାୟ ସହ କୁମାର ଅକ୍ଷୟ
ଇନ୍ଦ୍ରଜିତ ପରାହତ |
ନିଶ୍ଚେ ମନ୍ଦୋଦରୀ ଚିତ୍ତ ନେବ ହରି
ଚିନ୍ତିଲା ତା ଦୁର୍ବଳତା
ସଭାରେ ଘୁମାଏ ଲକ୍ଷ୍ୟ କରି ରାୟେ
ମନେ ଲଭି ପ୍ରସନ୍ନତା |
ଡାକି ରାଜସଭା ଅସୁର ମଘବା
ଜଣାଇଲା ଵିଜ୍ଞାପନ
ସଭାରେ ଘୁମାଇ ମାରିଲେ ବା ହାଇ
ମସ୍ତକ ହେବ କର୍ତ୍ତନ |
ଷଡ଼ମାସ ଭୋଗ ମିଳିଲା ସୁଯୋଗ
ବିଦ୍ୟୁଜିହ୍ୱା ଘୁମାୟିତ
ପେଷି ଚନ୍ଦ୍ରହାସ୍ୟ ଖଡ୍ଗ ଦଶଆସ୍ୟ
ମଥା କାଟିଲା ତ୍ୱରିତ |
କ୍ରୁର ଷଡ଼ଯନ୍ତ୍ର ଆତ୍ମୀୟ ନିହତ
ଭଗିନୀ ଭୋଗେ ବୈଧବ୍ୟ
କ୍ରୋଧେ ସୂର୍ପଣଖା ପ୍ରତିଶୋଧେ ଦକ୍ଷା
ରାମ ରାବଣ ଆହବ |
ଷଡ଼ଯନ୍ତ୍ର ଫଳ ଭୋଗେ ଲଙ୍କେଶ୍ୱର
ବିଧବାଙ୍କ ଆର୍ତ୍ତ ସ୍ୱର
ଝଙ୍କୃତ ଗଗନ ସୂର୍ପ ହର୍ଷ ମନ
ଶାସ୍ତି ଏ ଷଡ଼ଯନ୍ତ୍ରର |
