STORYMIRROR

Chinmaya Kumar Nayak

Inspirational

4  

Chinmaya Kumar Nayak

Inspirational

ଜାଗ୍ରତ ହୁଅ ବିଶ୍ୱ

ଜାଗ୍ରତ ହୁଅ ବିଶ୍ୱ

1 min
312

ଜାଗ୍ରତ ହୁଅ ବିଶ୍ୱ ସମୂହ

ଅଟକି ଯାଅନା କ୍ଷଣକାଳେ  

ଲକ୍ଷ୍ୟ ହେବ ନିଶ୍ଚେ ମୁଷ୍ଟିବଦ୍ଧ ଦିନେ

ଭୁଲ ବିଶ୍ରାମ ସ୍ୱପ୍ନକାଳେ


ଗୁଞ୍ଜରିତ ହେଉ ମେଦିନୀ ଆକାଶ

ପ୍ରତିଜ୍ଞାର ଦୃଢ଼ ହୁଙ୍କାରେ  

ନିଷ୍ଠା ପ୍ରଚେଷ୍ଟାରେ ନ ହେଉ ଅଭାବ

ମନ୍ତ୍ରିତ ହୁଅ କର୍ମରେ। 


ଆତ୍ମ ବିଶ୍ୱାସର ପୂତ ପୟୋଧିରେ

ଜାଗିଉଠୁ ନବ ଚେତନା  

ଈଶ୍ୱର ମଥା ଛୁଇଁ ଦେଖାଇବେ

ନବ ପଥର ସଂରଚନା। 


ସମସ୍ୟାର ଧୂମ୍ର ଆସ୍ତରଣ ବିନା

ଏ ଜୀବନ ଅଟେ ଅର୍ଥହୀନ  

ସତ୍ୟର ପଥ ସଦା କଣ୍ଟକିତ

କରିବାକୁ ହୁଏ ଲହୁ ଦାନ। 


ଜୀବନଟା ଏକ ବ୍ୟାୟାମ ଆଖଡ଼ା

ଆତ୍ମା ହୁଏ ଶୁଦ୍ଧ ପ୍ରତି ପଦେ  

ସ୍ୱଳ୍ପ ଆୟୁଷ ବହୁ ଅଭିଳାଷ

ବିଶୁଦ୍ଧ କର୍ମ ସାହା ହିଁ ପ୍ରମାଦେ। 


ନିଜକୁ ଯେ ମଣେ ଶକ୍ତିହୀନ ବୋଲି

ତା ଠାରୁ ପାପାତ୍ମା କେହି ନାହିଁ  

ଆଖି ବୁଝି ଅନ୍ଧକାରେ ଯେ ବାହୁନେ

ତା ଠାରୁ ଅଜ୍ଞାନ କେହି ନାହିଁ। 


ଶକ୍ତି ହିଁ ଜୀବନ ନିର୍ବଳତା ମୃତ୍ୟୁ

ବିଶ୍ୱାସ ଜୀବନୀ ଧାରା  

ଯେପରି ଚିନ୍ତିବ ସେ ରୂପ ଲଭିବ

ମନ ହିଁ ପ୍ରୟୋଗଶାଳା। 


କାମନା ବାସନା ତେଜି କରିଚାଲ

କାମହୀନ କର୍ମ ସଦା  

ତ୍ୟାଗକୁ ଜୀବନ ମନ୍ତ୍ର ଦିଅ କରି

ଲଙ୍ଘି ଚାଲ ସର୍ବ ବାଧା। 


କେଉଁ ଏକ ସୁବିଚାର ବାଛି ନିଅ

ଚେତନାର ଅନ୍ତଃସ୍ତରେ  

ଶୟନେ ଜାଗ୍ରତେ ବୁଡ଼ି ମଜ୍ଜି ଯାଅ

ସଫଳ ହେବ ଅଚିରେ।


ନୀଳକଣ୍ଠ ହୁଅ ବିଷ ପାନ କରି

ଅମୃତ ବିତର ବିଶ୍ୱେ  

ହସ୍ତ ପ୍ରସାରି ସଭିଙ୍କୁ ପ୍ରେମରେ

ଆପଣାର କର ହର୍ଷେ। 



Rate this content
Log in

Similar oriya poem from Inspirational