ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ଶ୍ରାବଣର ଏକ ଅଳସ ଅପରାହ୍ନେ
ଆକାଶକୁ ଯେବେ ଦେଖେ
କଳା ବାଦଲକୁ ଦେଖିଲା ମାତ୍ରେ
ହସ ଖେଳି ଉଠେ ମୁଖେ
ଠିକ୍ ସେହିକ୍ଷଣି ଉପସ୍ଥିତ ହୁଅନ୍ତି
ସମୀପେ ପ୍ରିୟ ମୋହର
ଏକାନ୍ତ ମୁହୁର୍ତ୍ତେ କାନ୍ଧେ ହାତ ରଖି
ଅନାନ୍ତି ପ୍ରୀତି ଭରା ନଜର
ଦେଖ ପ୍ରିୟତମା ପଶ୍ଚିମ ଆକାଶକୁ
ଆକାଶେ ରଙ୍ଗ ବିଞ୍ଚିଛି
ତମ ମୁହେଁ ଟିକେ ଦେଖିବାକୁ ହସ
ଇନ୍ଦ୍ରଧନୁ ଛବି ଆଙ୍କିଛି
ଅପ୍ରକାଶ୍ୟ ଦୃଶ୍ୟେ ହେଲି ବିହ୍ଵଳିତ
ପ୍ରିୟ ବାହୁ ବନ୍ଧନେ ହଜିଲି
ବକ୍ଷରେ ମଥା ରଖି କହିଲି ଏହା ସତ
ଅଦ୍ଭୁତ ଉପହାର ପାଇଲି।
