ଈଶ୍ବର ଦୟାର ସାଗର
ଈଶ୍ବର ଦୟାର ସାଗର
ଈଶ୍ବର ଦୟାର ସାଗର
ଏଥି ନାହିଁ ସଂଶୟ
କୋଟି ବ୍ରହ୍ମାଣ୍ଡର କରତା
ବିତରନ୍ତି ଅଭୟ ।
ସର୍ଜିଲେ ଧାତାଙ୍କୁ ଈଶ୍ବର
ନିଜ ନାଭି କମଳୁ
ବିଧାତା ଗଢିଲେ ସଂସାର
ନିଜ ତପସ୍ୟା ବଳୁ ।
ଦୟାର ସାଗର ଈଶ୍ବର
କଣେ କଣେ ବିଶ୍ବରେ
ସବୁଠି ରହିଲେ ବିରାଜି
ବ୍ରହ୍ମ କାଳ ରୂପରେ ।
ସୃଷ୍ଟି ସ୍ଥିତି ଲୟ କରନ୍ତି
ଧରି ତ୍ରିଗୁଣ ରୂପ
କରୁଣା ବରୁଣାଳୟ ସେ
ଜୀବ ବ୍ରହ୍ମ ସ୍ବରୂପ ।
ଧରମର ହାନି ହୋଇଲେ
ନିଜ ସ୍ବରୂପ ଧରି
ଜନମ ନିଅନ୍ତି ତାରିବା
ଲାଗି ସାଧୁ ଶ୍ରୀହରି ।
ଦୁଷ୍ଟଙ୍କୁ ନିବାରି ଧରମ
ସଂରକ୍ଷଣ କରମେ
ସଭିଙ୍କ ସୁହୃଦ ଈଶ୍ବର
ଜାତ ଏ ଧରାଧାମେ ।
କୀଟ ପତଙ୍ଗ ତରୁ ତୃଣ
ଠାରୁ ମାନବ ଆଦି
ସଭିଙ୍କି କରୁଣା କରନ୍ତି
ପ୍ରଭୁ କୃପାବାରିଧି ।
ଅମୃତ କଳସ ମୋହିନୀ
ରୂପେ ଦେବେ ବିତରି
ମୃଗୁଣୀ ଗଜ ଅଜାମିଳ
ସଭିଙ୍କୁ ଦୟା କରି ।
ଜୀବର ଭିତରେ ରହିଲେ
ବ୍ରହ୍ମ ସ୍ବରୂପ ହୋଇ
ସଂସାରେ ରହିଲେ ଈଶ୍ବର
କାଳ ରୂପ ବୋଲାଇ।
ଈଶ୍ବର ଦୟାର ସାଗର
ଜନ୍ମ କର୍ମ ତାଙ୍କର
ଦିବ୍ଯ ବୋଲି ଜାଣି ତତ୍ତ୍ବରେ
ପ୍ରାଣୀ ହୁଏ ଉଦ୍ଧାର ।
