ଈଶ୍ୱର ସାଧାରଣ
ଈଶ୍ୱର ସାଧାରଣ
ରୋମାଣ୍ଟିକ କବି ମାୟାଧର ମାନସିଂହ
ହେ କୋଟି ଭୁବନେଶ୍ୱର, ଜ୍ଞାନୀ ଯୋଗୀ ଜନେ
ଜାଣେ ନା କି ରୂପ ତବ ଦେଖନ୍ତି ମନନେ,
ଜାଣୁଛି ଏତିକି ମାତ୍ର ହେ ବିରାଟତମ
କ୍ଷୁଦ୍ରେ,ସାଧାରଣେ ତବ ପ୍ରକାଶ ପରମ ।
ଅନନ୍ତ ସମୁଦ୍ର ଅବା ଉତ୍ତୁଙ୍ଗ ଭୂଧର -
ତହିଁ କି କେବଳ ତବ ପ୍ରିୟ ଅଧିଷ୍ଠାନ ?
ଖାଲି କି ତାରକାମୟ ମହା ନୀଳାମ୍ବର,
ତବ ମହା ବିଭୂତିର ପ୍ରତୀକ ମହାନ ?
କବି କିନ୍ତୁ ଦେଖେ ନିତ୍ୟ ହେ ମହାମହିମ
ତୁମରେ ଜନନୀ-ସ୍ନେହେ,ତନୟା-ତନୟେ,
ଛୋଟ ଫୁଲେ କି ପ୍ରକାଶ ତୁମର ଅସୀମ,
ଆମ ନିତ୍ୟ-ହାସ-ଅଶ୍ରୁ ତମ କଥା କହେ ।
ବିରାଟୁ ବିରାଟ ଯେହୁ କଳ୍ପନାର ପାରେ,
'ମୁହିଁ ତାଙ୍କୁ ଜାଣେ' ବୋଲି ଘାସ କହିପାରେ
ସମାପ୍ତ