STORYMIRROR

padmaja pati

Classics

4  

padmaja pati

Classics

ଈଶ୍ୱର ଜନନୀ

ଈଶ୍ୱର ଜନନୀ

1 min
399

ହେ ଦିବ୍ୟ ଜନନୀ ! ଅଦିତି,ଶାଶ୍ବତି

ହେ ଚିନ୍ମୟୀ, ଶକ୍ତିମୟୀ

ଜନମ ମରଣ ଅନ୍ତରାଳେ ରହି

ବ୍ୟଥା, ଚିନ୍ତା ହୃଦେ ବହି।


ସୂର୍ଯ୍ୟ ପୁତ୍ରୀ ତୁମେ ! ସବିତାଲୋକର

ଚିର ଉଦ୍ଭାସିତ ମୁଖ

ମୃତ୍ୟୁ ଓ ଅବିଦ୍ୟା ଘେରା ଏ ପୃଥିବୀ

ଉପହାର ଦେଲା ଦୁଃଖ।


ଲୋକାତୀତଙ୍କର ନିଗୂଢ଼ ବକ୍ଷରୁ

ଲମ୍ପି ଆସିଛି ଧରାକୁ

ଅସଂଖ୍ୟ ଆତ୍ମାର ଜନକ ,ଜନନୀ

ସରଜିଅଛ ସଭିଙ୍କୁ।


ପରା ଚେତେନାର ତୁମେ ଧ୍ରୁବ ଜ୍ୟୋତି

ନିଶ୍ଚିତିର କର୍ମକାଣ୍ଡ

ଉଭା ହୋଇ ଜୀବନର ଦୋଛକିରେ

ବିରୋଧୀଙ୍କୁ ଦିଅ ଦଣ୍ଡ।


ଗତିଚକ୍ର ଭେଦି ଗ୍ରହ, ନକ୍ଷତ୍ରର

ଜଡରେ ଆଣ ଚେତନା

ଜୀବନର ଜୟଯାତ୍ରା ପଥେ ସାଥୀ

ଅଦମ୍ୟ ତୁମ କାମନା।


ପରମେଶ୍ବରଙ୍କ ଚେତନା ଓ ଶକ୍ତି

ରୂପେ ତୂମେ ଏକାକାର

ବିଶ୍ଵାତୀତ, ବିଶ୍ଵଗତ,ବ୍ୟଷ୍ଟିଗତ

ତିନୋଟି ଧାରା ସତ୍ତାର।


ମାନବ ଆଧାର ଦିବ୍ୟ ପ୍ରକୃତିକୁ

ସାଇତି ରଖିଛ ପରା

କେତେ କେତେ ରୂପ ହୁଏ ପ୍ରକଟିତ

ପାଇ ଅମୃତର ଧାରା।


ସକଳ ଅଶୁଭ,ଅଶିକ୍ଷା ଅନ୍ଧାର

ତା'ର ସହ କୁସଂସ୍କାର

ହଟାଇ ବିଷାଦ ଅବସାଦ ଯେତେ

ଜ୍ଞାନହୀନ ଜଗତର।


ମହେଶ୍ଵରୀ ରୂପେ ସକଳ ପ୍ରଜ୍ଞାର

ଆଧାର ଯେ ତୁମେ ମାଆ

ଭାଙ୍ଗି ଜଡତାକୁ ମହାକାଳୀ ରୂପେ

ରୂପାନ୍ତର କାର୍ଯ୍ୟେ ସାହା।


ମନ, ପ୍ରାଣ କରେ ଶୋଧିତ ମାର୍ଜିତ

 ମହାଲକ୍ଷ୍ମୀ ରୂପ ତୁମ

ମହାସରସ୍ଵତୀ ରୂପେ ଅବସାଦ

 ଦୂର କରିଦିଅ ଆମ।


ଈଶ୍ୱର, ଈଶ୍ୱରୀ ଏକ ରୂପେ ତୁମେ

ଦିଶାରୀ ଆମ ଆତ୍ମାର

ଜନ୍ମ ମୃତ୍ୟୁ ଚକ୍ର ବଦଳିଛି କେତେ

ସବୁ ଜୀବେ ଅଗୋଚର।


ପୁରୁଷ, ପ୍ରକୃତି,ଜୀବ ଓ ପରମ

ସବୁତ ତୁମରି ମାୟା

ଅନାଦି ଅନନ୍ତ କାଳରୁ ସୃଷ୍ଟିର

ସାଥିରେ ହୋଇଛି ଠିଆ।


କି ଦେଇ ପୂଜିବୁ ପୟର ତୁମର

ସବୁ ତୁମ ସରଜନା

ଅନ୍ତର ଆମ କର ବିକଶିତ

ଘେନ ଆମର ବନ୍ଦନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics