ହସ
ହସ
ଓଠର ଧାରରେ ଅମୃତର ସମ ଦିଅଇ ଯେଉଁ ପରଶ
ନିରବ ସ୍ୱରରେ ମୃଦୁ ଗୁଞ୍ଜରଣେ ଅବା ଖିଲି ଖିଲି ହସ।
ଭାବ ଅନୁପମ ଦୁଃଖ ଉପଶମ କରି ସେ କରାଉଥାଏ
ଦୁଃଖ ଓ ଯାତନା ସନ୍ତପ୍ତ ଶୋଚନା କ୍ଷଣିକେ ଦୁରାଇଥାଏ।
ଅର୍ଥର ବଳରେ କି ଅବା ଛଳରେ କିଣି ପାରିବନି ତାକୁ
ହୃଦୟ ଭିତରୁ ଆସେ ସନ୍ତର୍ପରେ ସହର୍ଷରେ ଯେବେ ଡାକୁ।
ଛୋଟ ଛୋଟ ଖୁସି ପୁରା ହୋଇଗଲେ ଫୁଟିଥାଏ ଖୋଲା ହସ
ସେଇ ହସ ନେଇ ଆମରି ମନରେ ଭରେ ଅମୃତ କଳସ।
ଜଟିଳ ହସ ବା କୁଟିଳ ହସଟି ଅପ୍ରକୃତ ପ୍ରସଂଗରେ
ମନର ଭାବକୁ ଖୋଲା ହୃଦୟକୁ କେବେ ବି ଛୁଇଁ ନ ପାରେ।
ସଫା ମନ ଯେବେ ସ୍ବଭାବେ ଉତୁରେ ଆପେ ହସ ଯାଏ ଖେଳି
ମନ ଖୋଲା ହସ ଅତି ମନଲୋଭା, ନୁହେଁ କେ ତାଠାରୁ ବଳି।
ନବରସ ମଧ୍ୟେ ଅଟେ ଶ୍ରେଷ୍ଠତମ ପ୍ରକାଶିତ ହାସ୍ୟରସ
ସେ ରସ ଭିଜାଉ ସଭିଙ୍କର ଓଠ ରହୁ ମନ ହସ ହସ।
