ହସ ମାହାତ୍ମ୍ୟ
ହସ ମାହାତ୍ମ୍ୟ
ହସ ନୁହେଁ କେବେ
ପରଦା ଦୁଃଖର
ଭାବ ଲୁଚାଇବା
ପାଇଁକି ମୁଖା,
ଏମିତିକା ହସ
ଅନ୍ତରରେ ବିଷ
ଉପରେ ମଧୁର
ପରତ ଢଙ୍କା।
ପ୍ରତିମା ପରାଏ
ଓଠରେ ନହସି
ହୃଦୟରୁ ହସ
ପ୍ରେମର ହସ,
ଖୁସିରେ ନାଚିବ
ନାଚି ନଚାଇବ
ମେଣ୍ଟିଯିବ ସବୁ
ମନର ଶୋଷ।
ବାଦ ବିବାଦର
ବାଡ଼ ଭାଙ୍ଗି ଦିଅ
ହସ ପୀୟୂଷର
ବିମଳ ସ୍ରୋତେ,
ନିରାନନ୍ଦ ପଣ
ନିପାତ ହୋଇବ
ଆନନ୍ଦ ଲହରୀ
ଖେଳିବ ସତେ।
ଶରୀରରୁ ରୋଗ
ସଂସାରୁ ବୈରାଗ
ଦୂର ହେବ ଏହି
ହସ ବଳରେ,
ସଭିଏଁ ମଣିବେ
ଏକ ପରିବାର
କେହି ନୁହେଁ ପର
ଏ ପୃଥିବୀରେ।
© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ
