ବୈଶାଖର ବର୍ଣ୍ଣାଳୀ
ବୈଶାଖର ବର୍ଣ୍ଣାଳୀ
ଧଳା ଧଳା ପାଚିଲା ବାଳରେ କଳା ରଙ୍ଗ ବୋଳୁବୋଳୁ
ଭଗ୍ନ ଶିଳାଖଣ୍ଡ ଯୋଡି ନଅରଟେ ଗଢୁଥାଏ ଗଢୁ
ଦାନ୍ତମାନେ ଗୋଟେ ଗୋଟେ ପଡିବାରେ ଲାଗିଗଲେ
ଦନ୍ତହୀନ ଅହଙ୍କାର ପାକୁଆ ପାଟିକୁ ଦେଖି
ବହୁତ ଖର୍ଚ୍ଚାନ୍ତ ହୋଇ ପୁନଃ ରୋପଣ କଲି କିଛି ଦାନ୍ତ
ଆରେ ଇତ୍ୟବସରରେ ଆଖିରେ ପରଳ ମାଡିଲା
ସବୁ କିଛି ଧୂଆଁଳିଆ ଦେଖାଗଲା କେବଳ ସପନକୁ ଛାଡି
ଅସ୍ତ୍ରୋପଚାର ହେଲା ଓ ଚଷମା ଲାଗିଲା
ହେଲେ ଅନୁଭବୀ ଆଖିକୁ ସତଗୁଡା ଦାଉଦାଉ ଦିଶିଲେ
ଦୁନିଆଟା ଧୂସର ଧୂସର ଏବେ ବି ଦିଶୁଥିଲା
ଏବେ ସବୁଆଡୁ ଆଖିବୁଜି ଦେଇ
କେବଳ ମୁଁ ସପନ ଦେଖୁଛି
ସେ ସ୍ବପ୍ନରୁ କିଛି କିଛି ରଙ୍ଗ ନେଇ କବିତା ଲେଖୁଛି
ଆକାଶର ଧୂସର ବକ୍ଷରେ ଇନ୍ଦ୍ରଧନୁ ରଙ୍ଗ ସଜାଉଛି
ଲାଗୁଛି ସମୟଟା ପଛୁଆ ଚାଲୁଛି
ମୁଁ ବାର୍ଦ୍ଧକ୍ଯରୁ ଧୀରେ ଧୀରେ ଯୁବକ ହେଉଛି।