STORYMIRROR

Sachidananda Kar

Children

3  

Sachidananda Kar

Children

ହୃଦୟଟି ହେଉ କୁସୁମ ବନ

ହୃଦୟଟି ହେଉ କୁସୁମ ବନ

1 min
242


         ବିତିଲା ପଉଷ ବିତିଗଲା ମାଘ

              ଆସି ପହଞ୍ଚିଲା ଫଗୁଣ ମାସ

         ଥିରି ଥିରି ଥିରି ବହିଲା ମଳୟ

              ଫୁଲ ବିତରିଲେ ମଧୁର ବାସ ।।

        ଠାବେ ଠାବେ ଦୋଳ ଯାତରା ଲାଗିଲା

             ଠାକୁର ବୁଲିଲେ ବିମାନେ ବସି

        ନାନା ନାଚ ଗୀତ ମଜା ମଉଜରେ

              ଗାଆଁ କି ସହର ଉଠିଲା ହସି ।।

        ହରଷ ମନରେ ମିଠା ମିଠା ସୁରେ

              ଚୂତ ଡାଳେ ପିକ ଗାଇଲା ଗୀତ

        ଦୁଇ ଗୁଣ ହେଲା ଧରଣୀର ଶୋଭା

               ଖୁସିରେ ବିଭୋର ସବୁରି ଚିତ୍ତ ।।

        ଭେଦଭାବ ଭୁଲି କି ପୁରୁଷ ନାରୀ

             ବୋଳାବୋଳି ହେଲେ ଅବିର ଧରି

        ପିଲାଏ ଖେଳିଲେ ପିଚକାରୀ ଖେଳ

               ନାଲି ନେଳି ରଙ୍ଗ ଏକାଠି କରି ।।

         ଜୀବନ ବିତିଲା ହସରେ ଖୁସିରେ

              ଧନୀ କି ଗରିବ ପାଳିଲେ ହୋଲି

         ମନେ ପକାଇଲେ ପୁରାଣର କଥା

             ବଧ ହୋଇଥିଲା ହୋଲିକା ବୋଲି ।।

         ଇଏ ଆମ ବଡ ପରବ ଗୋଟିଏ

               କାହିଁ କେତେ ଦିନୁ ପାଳୁଛୁ ଆମେ

         ସବୁ ବରଷରେ ଏ ହୋଲି ଦିନରେ

                ଲାଗିଥାଉ ରଙ୍ଗଖେଳର କାମେ ।।

        ଏଇ ଦିନଟିରେ ସାଙ୍ଗ ସାଥି ମେଳେ

                ଯେତେ ମଜାକଲେ ସରେନି ବେଳ

         ବାର ମାସେ ତେର ପରବ ଭିତରେ

                 ରଙ୍ଗ ଖେଳ ଏକ ନିଆରା ଖେଳ ।।

         ଏମିତି ଏ ହୋଲି ଆସୁଥାଉ ଏଠି

                   ରଙ୍ଗରେ ପହଁରୁ ସଭିଙ୍କ ମନ

          କଥାରେ କଥାରେ ମଧୁ ଝରୁଥାଉ

                    ହୃଦୟଟି ହେଉ କୁସୁମ ବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children