ହୋଲି ହସେ ଖିଲିଖିଲି
ହୋଲି ହସେ ଖିଲିଖିଲି
ଅସରା ଅସରା ରଙ୍ଗର ପସରା
ଝରି ପଡେ ଫଗୁଣରେ
ରଙ୍ଗ ଫଗୁ ବୋଳି ଯୁବ ବୃଦ୍ଧା ବାଳୀ
ଝୁମି ଯା'ନ୍ତି ଆନନ୍ଦରେ ।।
ଆସେ ଥିରି ଥିରି ପସରାକୁ ମେଲି
ଖିଲି ଖିଲି ହସି ହୋଲି
ଭିଜେଇ ଦିଏ ସେ ରଞ୍ଜେଇ ଦିଏ ସେ
ରଙ୍ଗର ରଙ୍ଗେ ରଙ୍ଗୋଲି ।।
ଭାବ ବିନୋଦିଆ ସେ ବାଙ୍କ ଚୂଳିଆ
ସାଥେ ଘେନି ରାଧା ରାଇ
ରଙ୍ଗର ରସରେ ଭିଜି ଭକ୍ତ ମେଳେ
ବୁଲୁଥାନ୍ତି ସାହି ସାହି ।।
ବାଜୁଥାଏ ଘଣ୍ଟ କାହାଳୀ ମୃଦଙ୍ଗ
ସାତ ସ୍ୱର ଏକ ହୋଇ
ଝୁଲି ଝୁଲି ଆସେ ସାତ ରଙ୍ଗ ରସେ
ବିମାନେ କଳା କହ୍ନେଇ ।।
ଭକତି ରସରେ ଭକତେ ବିଭୋରେ
କାନ୍ଧେ ବୋହି ପ୍ରଭୁ ଭାର
ଅତି ସରାଗରେ ଦୁଆରେ ଦୁଆରେ
ଖାଆନ୍ତି ଖଜା ସାକର ।।
ମେଲଣେ ମିଳନ ପ୍ରଭୁ ସମାଗମ
ସର୍ବେ କୋଠ ଭୋଗ ଖାଇ
ମୃଦୁ ମଳୟରେ ଅବିର ଖେଳରେ
ମତୁଆଲା ହୁଏ ମହୀ ।।
