ହଜିତ ଯାଇନି
ହଜିତ ଯାଇନି
ସୁଖର ସାଗର କିଏ ଭାସିବୁଲେ
ଦୁଃଖେ କିଏ ବୁଡି ମରେ
ଯାହାକୁ ଯେପରି ଗଢିଛି ବିଧାତା
ସିଏ ସେହିପରି ତରେ ll 1
ଦାନ କେ କରୁଛି ଅର୍ଜିବାକୁ ପୂଣ୍ୟ
ମାରୁଛି ଚିପି କେ ତଣ୍ଟି
ଭୋକିଲା ପେଟରେ ଦାନା ବାଣ୍ଟେ କିଏ
କିଏ କାଟେ କାହା ତଣ୍ଟି ll 2
କିଏ ପ୍ରବଞ୍ଚକ ବିଶ୍ୱାସରେ ବିଷ
ପ୍ରବଚନ ଦେଇ ତୋଷେ
ଭଣ୍ଡ, ପ୍ରତାରକ ମୁଖେ ସନ୍ଥ ମୁଖା
ସାଧୁବାଣୀ କହି ରସେ ll 3
p>
ଜୀବନ ନାଟକ ରଙ୍ଗ ମଞ୍ଚ ପରେ
ନାୟକ ସାଜେ କେ ପୁଣି
ଖଳନାୟକର ଅଭିନୟ କରି
କାହାକୁ ଦିଏ କେ ହାଣି ll 4
ଘରଭଙ୍ଗା ନୀତି ପାଳେ କିଏ ନିତି
ଲୁଟେ କିଏ କା ସମ୍ପତ୍ତି
ଧର୍ଷଣ, ଲମ୍ପଟ ରାହାଜାନି କରି
ପେଟ ପୋଷେ ଦିନ ରାତି ll 5
ତଥାପି ଧରମ ଈଶ୍ୱର ବିଶ୍ୱାସେ
ଉଦୟ ହୁଅଇ ରବି
ମଣିଷପଣିଆ ହଜି ତ ଯାଇନି
ଦେଖା ଦିଏ ତାର ଛବି ll 6