STORYMIRROR

Sabita Nayak

Drama

4  

Sabita Nayak

Drama

ହଜିଲା ଶୈଶବ

ହଜିଲା ଶୈଶବ

1 min
219


ତୁମେ ଆଉଥରେ ଆସନା ସାଥିମାନେ

ପୁଣିଥରେ ଫେରିଯିବା

ସେଇ ହଜିଲା ଶୈଶବକୁ

ଆମ ମାଟିକାଦୁଅ ଭରା 

ଶସ୍ୟଶ୍ୟାମଳା ଗାଁକୁ ।


ଆଉଥରେ ବୁଲିଆସିବା

ତା'ର ଗହଳ ତୋଟାବନ

କାଜୁବଗିଚାରେ ଲୁଚିବ ତୁମେ

ଖୋଜିବି ମୁଁ

ପୁଣିଥରେ ଖେଳିବା ଲୁଚକାଳି ଖେଳ।


ଭରାନଦୀରେ ଲମ୍ଫମାରିବା ଆସ

ମୁଁ ଯଦି ଡୁବିଯିବି

ତୁମେ ଧରିନେବ

ତୁମେ ଡୁବିଲେ ମୁଁ

କେହି କାହାର ଛାଡିବାନି ହାତ ।


ଦ୍ବିପହର ସମୟରେ

ଚୁପି ଚୁପି ଘରୁ ଗୋଡକାଢିବା

ଡେଙ୍ଗାଅଜା ଘରେ

ତାସ୍ ଖେଳର ମଜା

ବାପାଙ୍କର ନାଲିଆଖି

କିଛି ନଜାଣିବା ପରି କାନକୁଣ୍ଡାଇବା

ଆଉ ସ୍କୁଲର ଖରାବେଳ ଛୁଟିରେ

ଘରକୁ ଖାଇବାକୁ ଆସି

ପୋଖରିରେ ନିର୍ଦ୍ଧୁମ ବୁଡିବା

ବୁଡି ବୁଡି ଚିଙ୍ଗୁଡି ଧରିବା ।


ସମସ୍ତେ ଶୋଇପଡିଛନ୍ତି

ରତନୀଅପାର ବାଡିରୁ

ପିଜୁଳି ତୋଳିବା ଆସ

ତୁମେ ଗଛରେ ଚଢିବ

ମୁଁ ତଳେ ରହୁଛି

ଆଉ ଦାମା ତୁ ରତନୀଅପାକୁ ଜଗିଥା

ହେଇରେ ରତନୀ ଅପା

ଦୌଡ........।


ସଞ୍ଜନଇଁ ଆସିଲାଣି

ଏବେ କେହି ଦେଖିବେନି

ଚାଲ, ଗୋବରା ପାହାନ ବିଲରୁ

ଚଣାଗଛ ଉପାଡିଆଣିବା

ନିଆଁ ଲଗାଇ ଚଣାପୋଡା ଖାଇବା

ବାପା କାନମୋଡିବେ

କେତେ ଗରଗର ହେବେ

ଆଉ କେବେ ଚୋରିକରିବୁନି କହି

କାନଧରି ଉଠ୍ ବସ୍ ହେବା।


ହେଇ ଦେଖିଲୁ ସାଙ୍ଗ!

ମିନୁ ବହୁତ ସୁନ୍ଦର ନା

କ'ଣ ଫସିଗଲୁଟି

ପାଠ ଦେବା ନେବା ବାହାନାରେ

ସାହିତ୍ୟଖାତାରେ ଲୁଚି ଲୁଚି

ଲଭଲେଟର ରଖିବା

ପୁଣି ସାର୍ ପଢାଉଥିବା ସମୟରେ

ଆଖିରେ ଆଖି ପଡିଗଲେ

ହସିଦେଇ ଆଖିମିଟିକା ମାରିବା

ଆଉ ଏଥିପାଇଁ 

ପ୍ରଧାନଶିକ୍ଷକଙ୍କ ପାଖକୁ ଟଣାହୋଇ

ବହେ ଗାଳିଶୁଣିବା ।


ସତରେ ସାଙ୍ଗ ଚାଲ ଆଉଥରେ

ଆମର ହଜିଲା ଶୈଶବର 

ସ୍ମୃତି ସାଉଁଟିବା  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama