STORYMIRROR

Sushantkumar Pradhan

Fantasy Others

3  

Sushantkumar Pradhan

Fantasy Others

ହଜିଲା ଅତୀତ

ହଜିଲା ଅତୀତ

1 min
373


ପାଉନି କୋଉଠି ଖୋଜୁଛି ସବୁଠି

ଗାଆଁ ପରିବେଶ ମୋର

ଭରସା ପାଉନି ବଂଚିବି କେମିତି

ସଭିଏଁ ହେଲେଣି ପର ।।

ଗାଆଁ ତୋଟା ଆଉ ବିଲ ବନ ମାଳ

ପାଉନି ମୁଁ କେଉଁଠାରେ

ପୋଖରୀ କୂଳିଆ ସୁଲୁ ସୁଲୁ ବାଆ

ଖୋଜେ ସକାଳ ସଂଜରେ ।।

ଗାଆଁର ପରବ ଯାନି ଯାତରାରେ

ଲାଗୁ ନାହିଁ ଜମା ମଜ୍ଜା

ପୂଜା ପାର୍ବଣରେ ସାହିରେ ଭାଇରେ

ଲାଗନ୍ତି କଳିକଜିଆ ।।

ମେଢ ଭସାଣିରେ ବିବାଦ ଉପୁଜେ

ଧର୍ମ ଘରେ ଝୁଲେ ତାଲା

ବାଣିଜ୍ୟ ମେଳାରେ ବିଦେଶୀ ଦରବ

ବିକନ୍ତି ବେପାରୀ ବାଲା ।।

ରଜଦୋଳି ଖେଳ ସାଂଗ ସାଥୀ ମେଳ

ଲାଗେ ସତେ ଅବା ସପନ

ଶୁଭୁ ନାହିଁ ଆଉ ମଠ ମନ୍ଦିରରୁ

ପୁରାଣ ପୋଥିର ପଠନ ।।

ଭାଗବତ ଟୁଂଗୀ ଦିଶୁନାହିଁ ଆଉ

ବଢୁଛି ମୁରୁଖ ଭାଉ

ଗାଆଁ ମଣ୍ଡପରେ ରାଜନୀତି ଚର୍ଚ୍ଚା

କୀର୍ତ୍ତନ ଶୁଭୁନି ଆଉ ।।

ଗାଆଁର ପାଠୁଆ ପୁଅ ଝିଅ ମାନେ

ସହରେ କାଟନ୍ତି ଦିନ

ବାର୍ଦ୍ଧକ୍ୟବେଳରେ ବାପା ମାଆ ମାନେ

ଲୋଡନ୍ତି ଜରା ଆଶ୍ରମ ।।

ଚକୁଳିଆ ପଣ୍ଡା ଯୋଗୀ ଗୀତ ଆଉ

ଗାଆଁ ଦାଣ୍ଡେ ଶୁଭୁନାହିଁଁ

ପାଲା ଦଣ୍ଡ ଦାସକାଠିଆ ନାଚର

ଜମାରୁ ଆଦର ନାହିଁ ।।

ଶଗଡର ଶବ୍ଦ ଢେଂକି କୁଟା ନାଦ

ଆଉଜମା ଶୁଭୁ ନାହିଁ

ତାଳ ପତରର ପେଁ କାଳି ସୁର

କୁଆଡେ ହଜି ଗଲାଣି ।।

ବୋହୂ ଚୋରୀ ବାଟି ବାଲି ଧୂଳି ଖେଳ

ସବୁର ବିଲୁପ୍ତ ହେଲାଣି

ଆଳୁ ସାରୁ ପୋଡା ବଡି ବାଇଗଣ

ପଖାଳ ଖୋଜିଲେ ନାହିଁ ।।

ମାଆ କାନ ମୋଡା ଆଈମା କାହାଣୀ

ସେନେହ ଆଦର ନାହିଁ

ସ୍ନେହ ସରାଗର ଡାକ ଶୁଭୁ ନାହିଁ

ବସୁଛି ମନକୁ ମାରି ।।

ପ୍ରେମ ଭାବନାର ସ୍ରୋତ ମିଳୁନାହିଁ

ଭଁଗା ସବୁରି ହୃଦୟ

ବଂଚିବାର ରାହା ନିରାଶା ଲାଗଇ

ଭାରାକ୍ରାନ୍ତ ନିଃସହାୟ ।।

ସୁଶାନ୍ତ ପ୍ରଧାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy