ଭକ୍ତି ନୈବେଦ୍ୟ-୦୨
ଭକ୍ତି ନୈବେଦ୍ୟ-୦୨


ଜୀବନରେ ତୁମେ ମୋର
ସବୁଠାରୁ ପ୍ରିୟ
ପାଖେ ଥିଲେ ପ୍ରଭୁ ମୋର
ନାହିଁ ଡର ଭୟ ।।
ଭଜନ ଜଣାଣ ଗାଇ
ସକାଳ ଆରମ୍ଭ
ତୁମ ନାମ ସ୍ମରଣରେ
କଟେ ଗର୍ବ ଦମ୍ଭ ।।
ତୁମେ ମୋର ଅନୁଭବ
ତୁମେ ମୋ ଚିନ୍ତନ
ତୁମେ ମୋର ଭକ୍ତି ଅର୍ଘ୍ୟ
ତୁମେ ମୋ କୀର୍ତ୍ତନ ।।
ତୁମେ ମୋର ଆଶା ପ୍ରଭୁ
ତୁମେ ମୋ ଜିଜ୍ଞାସା
ନିଃଶ୍ବାସ ପ୍ରଶ୍ବାସ ତୁମେ
ବିଶ୍ବାସ ଭରସା ।।
ତୁମେ ମୋର ପାପ ପୂଣ୍ୟ
ସୁଖର କାରଣ ।।
ଦିବ୍ୟ ଦରଶନେ ଲିଭେ
ଜୀବନେ କଷଣ ।।
ତୁମେ ମୋର ଗତି ମୁକ୍ତି
ତୁମେ ମୋର ଶାନ୍ତି
ନିତ୍ୟ ନିରଂଜନ ପ୍ରଭୁ
ଆହେ ବିଶ୍ବ ରୂପୀ ।।
ସଂସାରରେ ପ୍ରଭୁ ତୁମେ
ମୋର ଆପଣାର
ସାହା ରାହା ତୁମେ ମୋର
ସଖା ସହୋଦର ।।
ଶରଣ ରକ୍ଷଣ ହରି
ହୁଅ ହେ ସଦୟ
ଅଭୟ ପଦ ପଙ୍କଜେ
ଥାଉ ମୋର ଲୟ ।।
ଜୟ ଜଗନ୍ନାଥ