STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ହଜି ଯାଇଛି ମୋ ପିଲାଦିନ

ହଜି ଯାଇଛି ମୋ ପିଲାଦିନ

1 min
378


ଜୀବନ ସାୟାହ୍ନେ ମନେ ପଡେ ଯେତେ ହଜିଲା ଅତୀତ ସ୍ମୃତି

ମନ ମୁକୁରର ପଟଳେ ଉଦ୍ଭାସେ ଫୁଲଭରା ଜହ୍ନ ରାତି

ସେଦିନ ଦେଖିଛି ଆକାଶ ଛାତିରେ ପୂନେଇଁ ଚାନ୍ଦର ହସ

ସେ ଦିନ ଦେଖିଛି ଗାଁ ସରୋବରେ କୁମୁଦିନୀ ପ୍ରେମ ବେଶ ।


ଗାଆଁ ଚାଟ ଶାଳି ଅବଧାନ ବେତ ବୁଢୀମାଆ, ଜେଜେ, ଦାଦି

ବୋଉ ହାତବଢା ପଖାଳ କଂସାରେ ଅମୃତ ଆସଇ ଶ୍ରବି

ଗାଆଁ ନଈକୂଳ ନୟନ ଯୋଡିରେ ହଂସ ହଂସରାଳି ଖେଳ

ଚିଲିକା ବକ୍ଷରେ ବୋଈତ ଅଝାଲ ଦିଶୁଥାଏ ମାଳ ମାଳ ।


ଦେଖିଛି ଗାଆଁର ପୁରୁଖା ମଣିଷ ଚଉତରା ପଶା ପାଲି

ଗାଆଁ ଠାକୁରାଣୀ କାଳସୀ କୁହାଟ ହରିବୋଲ ହୁଳହୁଳି

ଗାଁ ଜାନି ଯାତ ଗୁଡିଆ ପସରା ମନ୍ଦିର ଆଳତୀ ଘଣ୍ଟ

ସଞ୍ଜେ ସଞ୍ଜବତୀ ଶୋଭା ବୃନ୍ଦାବତୀ ଗୋଧୂଳିରେ ଗାଈଗୋଠ।


ଗାଆଁ ଚଉହାଦି ବଣ ବଗିଚାରେ କୁମ୍ଭାଟୁଆ ହୁଟ ସ୍ଵର

ଗାଆଁ ଦାଣ୍ଡ ଧୂଳୀ ଦେହେ ହୋଇ ବୋଳି ଘରଚଟିଆ ର ଖେଳ

ଗାଁ ନଈବଢୀ ଗାଆଁ ଘରପୋଡି ଦୁଃଖି ରଙ୍କି ଦୁଃଖ ଦାଉ

ସେଦିନ ଦେଖିଛି ଅନେକ ଦୁର୍ଦ୍ଦଶା କ୍ରୁର ଜମିଦାର ଭାଉ ।


ସହରୀ ସଭ୍ୟତା ଧସେଇ ପସିଲା ଗାଆଁ ଶିରୀ ହତଶିରୀ

ଗାଁ ଭାଇଚାରା ଭଗବତ ଟୁଙ୍ଗୀ ଗାଆଁ ହାଟ ହାଟ ପାଳି

ଦଶହରା ଯାତ୍ରା ଜନ୍ତାଳ ଭୋଜିର ସ୍ଵାଦ କେତେ ଚମତ୍କାର

ସେହି ପିଲାଦିନ ଆସିବକି ଆଉ ସ୍ମୃତି ସେ ପିଲା ଦିନର ।


ଆଜି ବଦଳିଛି ସେ ସୁଖ ଦୁଃଖର ଦିନ ଲାଗେ ସ୍ଵପ୍ନ ପରି

ହଜିଛି ଲୁଚିଛି ଅନେକ କାହାଣୀ ଗାଆଁ ର ଅମୀୟ ଶିରୀ

ପିଲାଦିନ ଆଉ ଆଜି ସମୟର ଅଦ୍ଭୁତ ପରିବର୍ତ୍ତନ

ମନେ ମରେ ମନ କଥା ଯେତେ ସୁଖ ଥିଲା ମୋର ପିଲାଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics