ହିଂସୁକ ମୁହଁରେ ଅହିଂସା ବାଣୀ
ହିଂସୁକ ମୁହଁରେ ଅହିଂସା ବାଣୀ
କଳିକାଳ ରୀତି ବଡ ବିପରିତ
କିଏ ଭଲ ଭେଲ ନ ହୁଏ ଚିହ୍ନି
ଦୁୁଷ୍ଟ ସଇତାନ କରେ ବେଦପାଠ
ଅବାଟରେ ଭ୍ରମେ ନୀତି ଆଇନୀ ।
ଚଢି ଗାଡିଘୋଡ଼ା ଫୁଲାଏ ନିଶକୁ
ଭ୍ରଷ୍ଟ ଦୁରାଚାରୀ ଠକ ଦଲାଲ
କାଟଇ ତଣ୍ଟିକୁ ଖଣ୍ଟ ସେବକାରୀ
ନିଶା କଳାଧନ ବଢେ ପ୍ରବଳ ।
ବିନା ପରିଶ୍ରମେ ରାତିକୁ ହାତିଏ
କୋଠା ଗଢି ଉଠେ ମାଳକୁ ମାଳ
ବଢଇ ଧନୀକ ଥନ୍ତଲ ଉଦର
ଫୁୁଙ୍ଗୁୁଳା ଗରିବ ଘର ଅନ୍ଧାର ।
ତୋଳିଦେବେ ହାତେ ଆକାଶରୁ ତାରା
କରନ୍ତି ଥୋକାଏ ଭାଷଣବାଜି
ବଢି ବଢି ଚାଲେ ଦୂରିତ କଷଣ
ଛୁଏଁ ଆକାଶକୁ ରେଖା ଗରୀବି ।
କାଗଜ କଲମେ ସଫଳ ଯୋଜନା
ହୁଏନି ବାସ୍ତବ କାର୍ଯ୍ଯାନ୍ବୟନ
ଶିକ୍ଷାସ୍ବାସ୍ଥ୍ୟ ନାମେ ଚାଲେ ବ୍ଯବସାୟ
ବିଳମ୍ବିତ ହୁଏ ନ୍ଯାୟ ପ୍ରଦାନ ।
ଠକଭଣ୍ଡ ଯେତେ ବଖାଣନ୍ତି ଜ୍ଞାନ
ହିଂସୁକ ମୁହଁରେ ଅହିଂସା ବାଣୀ
ନାଚାର ଈଶ୍ୱର ସନ୍ଦୀହାନ ଧର୍ମ
ତନ୍ଦ୍ରା ତେଜ ଜାଗ ସୁଜ୍ଞାନୀ ଗୁଣୀ ।
