ହେରା ପଞ୍ଚମୀ
ହେରା ପଞ୍ଚମୀ
ବାଆ ପାଣି ପିଇ ଝୁଲ ମୋ ହାତୀ
କାଳିଆ ସୁନା ମୋ ଝୁଲ
ଛୁଇଁ ଛୁଇଁ ମାଟି ମା'ରେ ପହଣ୍ଡି
ଭାଇ ଜୟ ଜଗନ୍ନାଥ ବୋଲ ।
ପାଟ ଦଉଡିକୁ ଟାଆଣେ ଭିଡିକି
ପିଠି ଆଡୁ ଠେସ ମାର
କହୁଣି କାନ୍ଧକୁ ଦେହରେ ଲଗାଇ
ବୋଲ ଭାଇ ହରିବୋଲ
ଝୁଲ ବାଇମନ ଝୁଲ
ଅଗୁରୁ ଚନ୍ଦନ ଦୟଣା ତୁଳସୀ
ଟାହିଆରୁ ଖସୁ ଫୁଲ ।
ଅଣ୍ଟାକୁ ହଲାଇ ଘଣ୍ଟୁଆଳ ଭାଇ
ବଜା ଘଣ୍ଟ ଠଣ ଠଣ
ପହଣ୍ଡିରେ ବିଜେ କାଳିଆ ସୁନା ମୋ
ପ୍ରବଳ ମତ୍ତ ବାରଣ
ଦିଶେ କେଡେ ଗୋଲଗାଲ
କଳା ବାମନ ମୋ ବସିଣ ରଥରେ
ହସୁଥିବ ମୁଲମୁଲ ।
ଶରଧା ବାଲିରେ ଆଡପ ଦର୍ଶନ
ସୁବ୍ୟଞ୍ଜନ ପୋଡ଼ପିଠା
କାଳିଆ ସୁନା ମୋ ଭୁଞ୍ଜିବ ମଉଜେ
ହେରା ପଞ୍ଚମୀକୁ ଭଟ୍ଟା
ମାଆ ଲକ୍ଷ୍ମୀ ଲାଲଲାଲ
ରାଗ ଜରଜରେ ଭାଙ୍ଗିବେ ରଥକୁ
ହୋଇବ ଦକ୍ଷିଣ ମୋଡ଼ ।
ବାହୁଡା ବିଜୟେ ରାଜରାଜେଶ୍ୱର
କାଳିଆ ମୋ ସୁନାବେଶେ
ଦେବ ଦରଶନ ସିଂହ ଦୁଆରରେ
ଶ୍ୟାମ ନଟବର ରସେ
ବିଜେ ହେବ ଅନ୍ତପୁର
ନିଳାଦ୍ରି ନିକୁଞ୍ଜେ ଭାଙ୍ଗିବ ଗୁମାନ
ରସଗୋଲା ଗୋଲଗାଲ ।
