STORYMIRROR

Prasanna Kumar Das

Abstract

4  

Prasanna Kumar Das

Abstract

ହେମନ୍ତ

ହେମନ୍ତ

1 min
261


ସରିଲା କୁମାର ପୂନେଇ ପରବ, 

କୁଆଁରୀ କନିଆ ଗେଲ ଗରବ।

ଶରତ ଋତୁର ଅନ୍ତ,

ଆସିଲା ଧରାକୁ ହେମାଳେ ମଣ୍ଡନ

କରିବ ଋତୁ ହେମନ୍ତ।୧।


ନିର୍ମଳ ଗଗନେ ବିମଳ ଚନ୍ଦ୍ର

ସ୍ବଛ ସରୋବରେ ନାଚେ କୁମୁଦ ।

କୁମୁଦିନୀ ବନ୍ଧୁ ଚାହିଁ,

ଚକୋରୀ ବ୍ୟାକୁଳ ପ୍ରିୟ ବିଛେଦରେ

ଦୁଃଖେ ବିଳାପ କରଇ।୨।


କୁହୁକ ପ୍ରାୟ କୁହେଳିକା ଛନ୍ନ,

ନିଶାକର ଶୁଭ୍ର ଜ୍ୟୋତ୍ସ୍ନା କିରଣ।

ଊଷା ଆଗମନ କାଳେ,

ଅରୁଣିମା ଛଟା ଦେଇ ଅଂଶୁମାନ

ବିଜୟ ଉଦୟାଚଳେ ।୩।


ଦିନକର କର ପରଶ ପାଇ,

କୁମୁଦ ସଂକୋଚେ ମଥା ନୁଆଇଁ ।

ସରୋଜଲତା ଉଛ୍ବାସେ,

ଶୀକର ଶୀତଳ ବାତ ପ୍ରତିକୁଳ

ତଥାପି ମୁରୁକି ହସେ ।୪।


ଦୁର୍ବାଦଳେ ଶିଶିର ବିନ୍ଦୁ ଶୋହେ,

ଅର୍କକର ଛାଇ ମୁକ୍ତା ପରାୟେ ।

ଗଗନେ ରଜତ ଘନ,

କାହିଁ କୁଜ୍ଝଟିକା ଲୁକାଏ ଦେଖାଏ

ଯେସନ ଲୋଭୀର ଧନ।୫।


ଆଦ୍ୟ କାର୍ତ୍ତିକରେ ଉଭା ହେମନ୍ତ,

ମାର୍ଗଶିର ଅନ୍ତେ ହେବ ସମାପ୍ତ ।

ଶସ୍ୟ ଶ୍ୟାମଳ କେଦାର, 

ଲକ୍ଷ୍ମୀ ଅନୁକମ୍ପା କୃଷକ ହରଷ

ଆସେ ମାସ ମାର୍ଗଶିର ।୬।


ବିକଚେ ନୀଳୋତ୍ପଳ ସରୋବରେ, 

ସରୋଜିନୀ ଲୁପ୍ତ ଯେଣୁ ଶିଶିରେ।

ଭ୍ରମର ଭ୍ରମେ ଭ୍ରମନ୍ତି,

ଦୁର୍ଲଭ ହୁଅନ୍ତେ କଞ୍ଜମକରନ୍ଦ

ବିବଶେ କୁମୁଦେ ପ୍ରିତି ।୭।


ଆସିଛି ପବିତ୍ର କାର୍ତ୍ତିକ ମାସ,

ଧର୍ମପ୍ରାଣ ଜନେ କରି ହବିଷ୍ୟ।

ପୂଜି ରାଇ ଦାମୋଦର,

କରି ଦୀପଦାନ ତୋଷି ପିତୃଗଣ 

ଜନମ କରେ ସଫଳ ।୮।


ମାସ ମଧ୍ୟେ ଶ୍ରେଷ୍ଠ କାର୍ତ୍ତିକ ମାସ,

କାହିଁ ପୂଣ୍ୟ ତୋୟା ଗଂଗା ସଦୃଶ।

ତୀର୍ଥ ମଧ୍ୟେ ଜଗନ୍ନାଥ,

ହେମନ୍ତେ କାର୍ତ୍ତିକ ମାର୍ଗଶୀର ମାସ

କରେ ମହିମା ମଣ୍ଡିତ ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract