ହେ ଶ୍ରାବଣ ଜୀବର ପ୍ରାଣ କର ତୃପ୍ତ
ହେ ଶ୍ରାବଣ ଜୀବର ପ୍ରାଣ କର ତୃପ୍ତ
ଶ୍ରାବଣୀ ଗୋ ତୁମ ଅପରୂପା
ଶୋଭାରେ
ହସାଅ ପ୍ରକୃତି ରାଣୀକୁ ତୁମରି
ବାସ୍ନାରେ ।
ଆଣ ତୁମେ ସ୍ବପ୍ନ ସରବ ମନର
ପରିଧି ମଧ୍ୟରେ
କେତେ ଖୁସି ବାଣ୍ଟି ଥାଅ ପରା
ସବୁରି ମନରେ ।
ଦେଖ ଭୀଷଣ ନିଦାଘର
ହୋଇଲାଣି ତ ଅନ୍ତ
ହେ ଶ୍ରାବଣ, ବରଷି ଜୀବର
ପ୍ରାଣ କର ତୃପ୍ତ ।
ହେ ବର୍ଷା, ତୁମେ ପରା ଚିରନ୍ତନ
ଅମୃତ ବିନ୍ଦୁ
ଦିଅ ପରା ସରବ ଜୀବର ଆଧାର
ଜଳ ସିନ୍ଧୁ ।
ଛଳ କରନାହିଁ, ଭିଜାଇ ଥାଅ
ସମସ୍ତଂକ ଶରୀର,
ବର୍ଷା ଆଗମନେ ମହକେ ବାସ୍ନା
ପରା ମାଟିର ।
ଗ୍ରୀଷ୍ମରେ ଭୀଷଣ ତାପଟା
କରୁଥିଲା କଲବଲ
ତମ ଆଗମନେ ସେ ଅଶାନ୍ତି
ମନୁ ହୋଇବ ଦୂର ।
ମେଘ ଦିଶିଲାଣି ମୌସୁମୀ
ଛୁଇଁଲା ଏଇ ମର୍ତ୍ତ୍ୟରେ
ଶ୍ରାବଣ ମାସରେ ଝରଝର
ହୋଇ ବହୁ ବର୍ଷା ଝରେ ।
ସବୁ ଅଞ୍ଚଳରେ ମନଛୁଆଁ
ସୁଲୁ ସୁଲୁ ବାଆ ବହେ
ଅନୁଢ଼ା ମନ ଯୌବନକୁ
ଆନନ୍ଦରେ ଭିଜାଇ ଦିଏ ।
ଭିନ୍ନଭିନ୍ନ ରଂଗ ବେରଂଗର
ଫୁଲ ଫୁଟିଥାନ୍ତି
ଗଛ ଲତା ସବୁ ଜୀବନ ପାଇ
ସତେଜ ଦିଶନ୍ତି ।
ଆନନ୍ଦେ ତାହାର ଗୀତ ବରଷା
ରାଣୀ ଗାଆନ୍ତି
ଚାଷୀବୃନ୍ଦ, ଏବର୍ଷ ଫସଲ ହେବ,
ନାଚି ଉଠନ୍ତି ।
ବେଙ୍ଗୁଲୀ ନାନୀଟା ଖୋଜେ
ବେଙ୍ଗ ଭାଇନାକୁ
କେଣେ ଗଲା ସାଥୀ, ଚାହେଁ
ଫେରିବା ବାଟକୁ ।
ମୁଁ ଦେଖୁଛି ଏଡାଳୁ ସେଡାଳ
କେତେ ଆନନ୍ଦରେ
ଟିକି ଚଢ଼େଇ ସବୁ ଉଡି ବୁଲୁଛନ୍ତି
ଗଛ ଉପରେ ।
ବରଷାର ସୁଅ ଗାଆଁର ଦାଣ୍ଡରେ
ଜୋରରେ ଚାଲି ଥାଏ
ପିଲାଏ କାଗଜ ଡ଼ଙ୍ଗା ଭସାଇ
ବହୁ ଖୁସି ହୁଏ ।
ତାତିରେ ଅଶାନ୍ତି, ମନରୁ ଚାଷୀର
ଦୂରେଇ ଗଲାଣି
ବେଉଷଣ ହେବ ଚଷା ଭାଇମାନେ
ଖୁସିରେ ନାଚିଲେଣି ।
ଆଉ ସେମିତି ବରଷା ନାହିଁ
ନୀତି ଅନୁସାରେ ,
ଆଉ ଯେତେବେଳେ ହଉଚି
ଖାଲି ଲଘୁଚାପରେ ।
ଏମିତି ହଉଛି ଯେ, ସେ ବର୍ଷା
ମଜା ଚଖେଇ ଦଉଛି
ଶ୍ରାବଣର ଧାରା ଆଉ ତ ଚାଲୁନି,
ହୃଦୟକୁ ଚାପି ଦଉଛି ।
ଏ ସ୍ଥିତିରେ ହେ ଶ୍ରାବଣୀ ପୁରା
ପୁରି ହୁଅନି ଅଝଟିଆ
ନକର କୋପ ବରଷି ଚାଲ
ନହୋଇ ଅମାନିଆ ।
