ହେ ସାଇ
ହେ ସାଇ
ଅନ୍ତରେ ଅନ୍ତରେ ଖୋଜୁଛି ତୁମକୁ
ଆହେ ପ୍ରଭୁ ସତ୍ୟସାଇ
ହୃଦୟ ପୁଷ୍ପକ ଅର୍ପଣ କରିବି
ତୁମ ପାଦେ ମନ ଧ୍ୟାୟୀ ।
ଝୁରୁଥାଏ ନୀତି ତୁମ ଛବି ପ୍ରଭୁ
ଏ ଆଖି ଯୁଗଳ ଦୁଇ
ଦରଶନ ଦେଲେ ତବ ପାଦପଦ୍ମ
ଅଶ୍ରୁ ଧାରେ ଦେବି ଧୋଇ ।
ତୁମରି ଦର୍ଶନ ପାଇବା ପାଇଁ ହେ
ବ୍ୟାକୁଳ ହେଉଛି ମନ
ତୁମ ପ୍ରତିଛବି ଆଙ୍କୁଥାଏ ସତେ
ଝୁରି ଝୁରି ମୋର ପ୍ରାଣ ।
ହୃଦୟରେ ମୋର ଘର କରି ପ୍ରଭୁ
ରହିଥାଅ ସବୁଦିନ
ପାଖେ ପାଖେ ଥାଇ ସବୁବେଳେ ସାଇ
ଦେଖାଅ ସୁପଥ ମାନ ।
ସତ୍ୟର ବୀଜ ବପନ କର ସ୍ଵାମୀ
ଏଇ ମୋ ମନ ମନ୍ଦିରେ
ଶାନ୍ତିର ପରଦା ଢାଙ୍କି ଦେଇ ତୁମ
ପ୍ରେମ ସୁଧା ଢାଳ ବାରେ ।
ପ୍ରେମମୟ ସାଇ ପ୍ରେମ ବୃଷ୍ଟି କରି
ଥାଅ ମୋର ପ୍ରତି ଧ୍ୟାନେ
ଡାକୁ ଥିବି ପ୍ରଭୁ ତୁମକୁ ହେ ସାଇ
ଗାଇ ଭଜନେ କୀର୍ତ୍ତନେ ।
ଲୋଭ କ୍ରୋଧ ହିଂସା ଯେତେ ଅଛି ମନେ
ଦହନ କର ହେ ସାଇ
ତୁମ ପଞ୍ଚ ଅସ୍ତ୍ରରେ ଜୀବନ ଗତି
ଦିଅ ଥରେ ତ ସଜେଇ ।
ଆଶିଷ ତୁମର ଝରୁଥାଉ ସଦା
ମୋର ଏଇ ଚଲାପଥେ
ଜୀବନର ସାଥି ମୋ ପ୍ରିୟ ହେ ସାଇ
ରହିଥିବ ସାଥେ ସାଥେ ।
