STORYMIRROR

Dr Baman Chandra Dixit

Classics

3  

Dr Baman Chandra Dixit

Classics

ହେ ପରମ ପିତା

ହେ ପରମ ପିତା

1 min
395

ଗଗନ ପବନ ବନ ଉପବନ

             ମଗନ ଆନନ୍ଦ ମୟ,

କୁସୁମ କଳିକା ବିଥିକା ଲତିକା

              ପୁଲକିତ କିଶଳୟ।

ସଲ୍ଲୀଳ ତରଙ୍ଗ ଅତୁଳ ଉମଙ୍ଗ

              ନର୍ତ୍ତନ ରତ ନିତ୍ୟ,

ହେ ପରମ ପିତା ତୁମେ ହିଁ ପ୍ରଭୁ

              ଚରାଚର ମହୀ ବ୍ୟାପ୍ତ ।


ସନ ସନ ସ୍ଵନ ଚଳିତ ପବନ

              ସୁଲଳିତ ସୁମଧୁର,

ଗୂଂଜେ ମଧୂପ କଳି କୁଞ୍ଜେ କୁଞ୍ଜେ

               କୁଜନ ବାରମ୍ବାର।

ପୁଞ୍ଜା ପୁଞ୍ଜା ତାରା ମୋତି ର ପସରା

               ସାରା ନଭ ପରିବ୍ୟାପ୍ତ,

ହେ ପରମ ପିତା ତୁମେ ହିଁ ପ୍ରଭୁ

              ଚରାଚର ମହୀ ବ୍ୟାପ୍ତ ।


କୋଇଲୀ କୁହୁକେ କୁସୁମ ମହକେ

              ମୋହିତ ମନ ପ୍ରାଣ,

ଝିଙ୍କାରୀ ଝଙ୍କାରେ ଝୀଂ ଝୀଂ ସ୍ୱର

               ଅବା ପାଉଁଜି ର ସ୍ଵନ ।

ମୁଦ୍ରିତ ପଲକ ତଳେ ଅବା ଶୁପ୍ତ

               ଲକ୍ଷ ସ୍ୱପ୍ନ ବିମୋହିତ,

ହେ ପରମ ପିତା ତୁମେ ହିଁ ପ୍ରଭୁ

               ଚରାଚର ମହୀ ବ୍ୟାପ୍ତ ।


ବିମୁଗ୍ଧ ବିମଳ କ୍ଷରେ ଅବିରଳ 

              ଶୀତ ପୂତ ଜ୍ୟୋତ୍ସ୍ନା ରାଶି,

ସକାଳ କାକର ଆନନ୍ଦ ବିଭୋର

              ବୁଣି ବୁଣି ଯାଏ ମୋତି।

ନିଶି ନାସ ପାଶ ଆଗତ ଦିବସ

               ଆରୁଣାରୋହୀ ଆଦିତ୍ୟ,

ହେ ପରମ ପିତା ତୁମେ ହିଁ ପ୍ରଭୁ

               ଚରାଚର ମହୀ ବ୍ୟାପ୍ତ ।


ଶୁପ୍ତ ସଂସାର ର ଗୁପ୍ତ ଚେତନା ରେ

               ସିଞ୍ଚିଲ ଜାଗୃତି ବାରି,

ଗତି ମୟ କଲ ଅଚେତ ଚେତନା

              କର୍ମଠ ପ୍ରେରଣା ଭରି।

ଅମ୍ବର ଧରଣୀ ଶାଗର ସରଣୀ

              ସବୁ'ଠି ତୁମ ଅସ୍ତିତ୍ବ

ହେ ପରମ ପିତା ତୁମେ ହିଁ ପ୍ରଭୁ

              ଚରାଚର ମହୀ ବ୍ୟାପ୍ତ ।


ଶତ ପ୍ରଣିପାତ ଘେନ ଜଗନ୍ନାଥ

              ଘେନ ସହଶ୍ର ଗୁହାରି

ବାନ୍ଧି ଦିଅ ପରା,ଜଗତ ଟା ସାରା

              ସ୍ନେହ ମମତା ର ଡୋରି ।

ଝୁରୁ ଥାଉ ମନ, ରହୁ ଏ ଜୀବନ

              ଚିତ୍ତ ଚିନ୍ତାମଣି ଲିପ୍ତ

ହେ ପରମ ପିତା ତୁମେ ହିଁ ପ୍ରଭୁ

              ଚରାଚର ମହୀ ବ୍ୟାପ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics