STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ହେ ପିତା ପରମେଶ୍ଵର

ହେ ପିତା ପରମେଶ୍ଵର

1 min
9.8K



ଜୀବନ ଜୀଇଁବା ପାଇଁ ଶିଖାଇଲ

ତୁମେ ଅନୁଭବ ମନ୍ତ୍ର,

ଝୁଣ୍ଟି ପଡୁ ପଡୁ ଆଶ୍ରା ଦେଇଥିଲ,

ଧରିନେଇ ମୋର ହାତ।


ଶିଖିବା ବେଳର ଭୁଲ୍ ପାଇଁ ମୋର,

ଦଣ୍ଡ ଦେଇନାହଁ ତୀଳେ,

ଗଛ ଛାଇ ପରି ଆଶ୍ରା ଦେଇଥିଲ

ଶୀତ,ଖରା,ବର୍ଷା ବେଳେ।


ସବୁ ଭୁଲ୍ ମୋର କରୁଥିଲ କ୍ଷମା,

ଆହେ ବିଶାଳ ହୃଦୟ !

ଆଖିର ଲୁହକୁ ଲୁଚାଇ ଆଖିରେ

ହସୁଥିଲ ସ୍ନେହମୟ।


ନିଜ ଅଭାବକୁ ଅଣଦେଖା କରି

ମୋ ଦେହକୁ ଦେଲ କନା,,

ନିଜ ଭୋଖ ନିଜ ପେଟରେ ମାରିଛ

ଦେବାକୁ ମୋ ମୁଖେ ଦାନା।


ନିଜେ ଚିରା ପିନ୍ଧି ଦେଉଥିଲ ମତେ

ନୂଆ ଜାମା ନୂଆ ଜୋତା,

ମୋ ଆଶା ଦିପାଳୀ ଲିଭିଗଲା ବେଳେ

ଖଂଜିଛ ନୂଆ ସଳିତା।


ମୋ ସଫଳତାରେ ଛାତିକୁ ଫୁଲାଇ

ଚାଲିଛ ଦୁନିଆଁ ଦାଣ୍ଡେ,

ବିଫଳତାପାଇଁ ଦେଇଛ ସାହସ

ହାତ ରଖି ମୋର ମୁଣ୍ଡେ।


ମୋର ଶିକ୍ଷା ପାଇଁ ସାହସ ଯୁଟାଇ

କରିଛ କେତେ ଯତନ,

ସବୁ ଦେଉଥିଲ ଯାହା ପାଉଥିଲ,

ମାସକର ପେନସନ।


ଗାଳି ପଦେହେଲେ ଶୁଣିନି ମୁହଁରୁ

ଦଣ୍ଡ ବି ପାଇନି କେବେ,

ହେ ପରମ ତପ ! ହେ ପରମ ଧର୍ମ,

ଈଶ୍ବର ତୁମେ ଏ ଭବେ।


ହତଭାଗା ମୁହିଁ ପାରିଲିନି ରହି,

ତୁମପାଶେ ଶେଷ ବେଳେ,

କେତେ ଆଶା ନେଇ ତୁମ ଆଖିଦୁଇ,

ଖୋଜୁ ନଥିବ ସେ କାଳେ !


ଖୋଜୁଥିବ ମୋର ହାତର ପରଶ,

ତୁମ କପାଳ ହେ ତାତ !

ଖୋଜୁଥିବ ତୁମ ମଥା ମୋର କୋଳ,

ହେଲାବେଳେ ଦିବଙ୍ଗତ।


ତୁମ ଶୁଷ୍କକଣ୍ଠ ଚାହୁଁଥିବ ଟୋପେ,

ଗଙ୍ଗାଜଳ ମୋ ହାତରୁ,

ଚାହୁଁଥିବ ତୁମ ଛାତି ଦୁଇଟୋପା,

ଉଷ୍ଣ ଲୁହ ମୋ ଆଖିରୁ।



ତୁମପରି ପିତା ପାଉଥାଏ ମୁହିଁ,

ପ୍ରତିଟି ଜନମେ ମୋର,

ଈଶ୍ବରଙ୍କପାଶେ ଏତିକି ମିନତି

ହେ ମୋର ପିତା ଈଶ୍ବର।


ଦୁନିଆଁ ଦାଣ୍ଡରେ ଠିଆ ହେଲି ଆଜି

ତୁମ ମହା ଶିକ୍ଷା ଦାନେ

ହେ ମୋ ପିତା ଗୁରୁ ! ପୂଜଇ ତୁମକୁ

ଅନ୍ତରରୁ ଅନୁକ୍ଷଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational