ହେ ନ୍ୟାୟାଧୀଶ
ହେ ନ୍ୟାୟାଧୀଶ
ସାରା ସଂସାରର ନିୟନ୍ତା ତୁମେ ତ
ପରଂବ୍ରହ୍ମ ଜଗଦୀଶ
ପାପ ପୂଣ୍ୟର ତ ଫଳ ଦେଉଅଛ
ବିଚାରି ହେ ନ୍ୟାୟାଧୀଶ |
ତୁମ ବିଚାରରେ ସଭିଏଁ ସମାନ
ନାହିଁ ନିଜ ପର ଭାବ
ନ୍ୟାୟର ତରାଜୁ ଧରିଛ ହାତରେ
ପାପୀ ପାଏ ପରାଭବ |
ସକଳ ଅନ୍ତରେ ରହି ବିଦ୍ୟମାନ
ଜାଣୁଛ ଅନ୍ତର କଥା
ମନ ଜାଣି ତୁମେ କର୍ମ ଦେଉଥାଅ
କର୍ମ ପାଇଁ ଫଳ ଦାତା |
ରାତିର ଅନ୍ଧାରେ ଲୁଚି ଲୁଚି ଯିଏ
ପାପ କର୍ମେ ଲିପ୍ତ ଥାଏ
ଦେଖୁନାହିଁ କେହି ତା ପାପ କର୍ମକୁ
ମନେ ଭାବୁଥାଏ ସିଏ |
ସର୍ବବ୍ୟାପ୍ତ ତୁମେ ହେ ଜଗଦୀଶ୍ଵର
ସବୁ ଦେଖ ସଦା ତୁମେ
କର୍ମ ଘେନି ଫଳ ଦେଉଥାଅ ପରା
କିଏ ବି ବଞ୍ଚେନା ଭ୍ରମେ |
ମଣିଷ ଗଢିଛି ସୁଶାସନ ପାଇଁ
ନ୍ୟାୟାଳୟ ଦେଶେ ଦେଶେ
ସବୁ ବିଚାରରେ ଲୋଡ଼ା ତ ପ୍ରମାଣ
ମିଥ୍ୟା ସାକ୍ଷେ ଦୋଷୀ ଖସେ |
ସବୁ ଜାଣି ଵୁଝି ଓକିଲ ଯୁକ୍ତିରେ
ତରାଜୁ ହୁଅଇ ସ୍ତବ୍ଧ
ମଣିଷ ତିଆରି ଆଇନର ତ୍ରୁଟି
ମତେ ନ୍ୟାୟ ହୁଏ ଲବ୍ଧ |
କର୍ମଫଳ ଦାତା ଏକମାତ୍ର ତୁମେ
ଭୁଞ୍ଜିବାକୁ ବାଧ୍ୟ ଜୀବ
ଭଲ କର୍ମ ପାଇଁ ସୁଖ ଖଞ୍ଜିଦିଅ
ଦୁଃଖ ଭୋଗେ କର୍ମୀ ମନ୍ଦ |
ତୁମକୁ ଜାଣିବା ତୁମକୁ ଚିହ୍ନିବା
ନରପାଇଁ କଷ୍ଟ ହୁଏ
ତୁମରି ସ୍ଥିତିକୁ ନଜାଣି ପାରି ସେ
ଅପରାଧ କରିଥାଏ |
ତୁମ ନ୍ୟାୟରେ ତ ସୂଚ୍ୟଗ୍ର ପରାୟେ
ରହେ ନାହିଁ କେବେ ତ୍ରୁଟି
ଶ୍ରେଷ୍ଠ ନ୍ୟାୟଧୀଶ ଜଗତରେ ତୁମେ
ଆଇନ କରିଛ ସୃଷ୍ଟି |
