STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

1 min
230

କାହାକୁ କହିବି ନ୍ୟାୟାଧୀଶ ଏଠି

ଅନ୍ୟାୟର ଦରବାରେ

ସ୍ୱାର୍ଥ ଦିଗେ ଛତ୍ର ପ୍ରଦର୍ଶନ କରି

ସର୍ବେ ଯେବେ ସୁବିଧାରେ !


ପରିବାର ଆଜି ଭାଙ୍ଗିଯାଏ ଏଠି

ଅନୀତିର ପ୍ରହାରରେ

ଗୃହ ନ୍ୟାୟାଧୀଶ ଉପଦେଶ ଶୁଣି

ବିରକ୍ତିରେ ମୁଖ ଫେରେ। 


ଅନ୍ୟାୟର ସାହଚର୍ଯ୍ୟ ବିନା ଆଜି

ପ୍ରତିଷ୍ଠା ଦିନର ସ୍ୱପ୍ନ

ନ୍ୟାୟାଧୀଶ କହେ ସୁହାଇଲା ପରି 

ମିଛରେ ଜଡ଼ାଇ ସ୍ଵର୍ଣ। 


ରାଜ୍ୟ ନ୍ୟାୟାଧୀଶ ରାଜା ଯେବେ ହଜେ 

ଚାଟୁକାରିତା ନିଶାରେ

ଦୋଷୀ ହସୁଥାଏ ନିର୍ଦୋଷୀ ବାହୁନେ 

ଆପଣାର ଭାଗ୍ୟ ପରେ। 


ନ୍ୟାୟାଳୟ ସାଜେ ତାରିଖର ଚିଠା 

ଫାଇଲରେ ଜମେ ଧୂଳି

ଧାଇଁଧାଇଁ ଛିଡେ ମହକିଲ ପାଦ 

ଓକିଲ ଖେଳୁଛି ଦୋଳି। 


ରତ୍ନ ସିଂହାସନେ ବସିଛି ମନ୍ଦିରେ 

ନିରବ ନ୍ୟାୟର ମୂର୍ତ୍ତି

ମିଳୁ କି ନ ମିଳୁ ନିଜ ବିଶ୍ୱାସରେ 

ଦୁଃଖୀ ମାଗେ ହାତ ପାତି।


ମିଛ ଏ ସଂସାର ଅବିଚାର ଏଠି 

ନିଇତି ସଂସାର ରୀତି

ଶକ୍ତିଶାଳୀ ହସେ ଶକ୍ତିହୀନ ମରେ 

ନିଜ ଦୁର୍ଭାଗ୍ୟକୁ ଚିନ୍ତି ଚିନ୍ତି। 


ନ୍ୟାୟର ପିତୁଳା ନିରପେକ୍ଷ ଆଳେ 

ଆଖିରେ ପୁଟୁଳି ବାନ୍ଧେ

ଜ୍ଞାତସାରେ କିମ୍ବା ଅଜ୍ଞାତସାରରେ 

ସତ୍ୟକୁ ନିଷ୍ଠୁରେ ନିନ୍ଦେ। 


ବିଶ୍ୱ ସ୍ରଷ୍ଟା ଆହେ ଆଦ୍ୟ ନ୍ୟାୟାଧୀଶ 

ନିରବେ ବସିଛ କାହିଁ

ଅନାଚାର ବ୍ୟଭିଚାର ଦେଖି କ୍ରୋଧ 

ତୁମକୁ କି ଆସେ ନାହିଁ !


ସତ୍ୟ ନ୍ୟାୟ ଧର୍ମ ପ୍ରତିଷ୍ଠିତ ହେଉ 

ଭୂମଣ୍ଡଳ କୋଣେ କୋଣେ

ତୁମ ରାଜଦଣ୍ଡ ପ୍ରକମ୍ପିତ ହେଉ 

ପ୍ରତି ଜୀବ ପ୍ରାଣେ ପ୍ରାଣେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract