ହେ ମାଆ ଶିବାନୀ
ହେ ମାଆ ଶିବାନୀ
ହେ ବିଶ୍ଵ ଜନନୀ ମହିଷମର୍ଦ୍ଦିନୀ
ତୁହି ତ ମହିମାନ୍ୱିତ
ମହାଶୂନ୍ୟେ ତୋର ନିତ୍ୟ ଆତଯାତ
ଅଲୌକିକେ ଅଭିଷିକ୍ତ ।
ସାରା ଜଗତକୁ ଦୁଷ୍ପ୍ରାପ୍ୟ ଦୁର୍ଲ୍ଲଭ
ତୋହରି କରୁଣା ବାରି
ଅଭେଦ ଅଭିନ୍ନ ତୋର ସ୍ଥିତି ସ୍ଥାନ
ରବି ରଶ୍ମି ଆସେ ଫେରି ।
ନିରାଶ୍ରୟେ ତୁହି ଉପାଶ୍ରୟ ପରା
ଦେବୀ ରୂପେ ଆରାଧିତ
ସକଳେ ଡାକନ୍ତି ଯଜ୍ଞ ଉପକଣ୍ଠେ
ଭକ୍ତ ଠାରେ ହୁଅ ପ୍ରୀତ ।
ଅସରନ୍ତି ତୋର ଦୟାର ଭଣ୍ଡାର
ଶାନ୍ତ ସ୍ଵରୂପିଣୀ ମୂର୍ତ୍ତି
ଯୁଗେ ଯୁଗେ ତୁହି ଭକତ ଉଦ୍ଧାରି
ଧରାଧାମେ ରଖୁ କୀର୍ତ୍ତି ।
ଚୌଦିଗେ ଚର୍ଚ୍ଚିତ ଅଦ୍ଭୁତ କୃତିତ୍ୱ
ସୀମା ହୀନ ଭାବ ଡୋର
ଭକ୍ତ କି ବୁଝିବେ ତୋର ମହିମାକୁ
ଯାହା ନପାରିଲେ ହର ।
ବିଚକ୍ଷଣ ବୁଦ୍ଧି ବହ୍ନି ସମ ଜ୍ୟୋତି
ଗତି ତୋ ଚପଳା ସମ
ନିର୍ମଳ ହୃଦୟେ ତୋ ନାମକୁ ଧ୍ୟାୟୀ
ଦୂରୀଭୂତ କ୍ଲାନ୍ତି ଶ୍ରମ ।
ବିଶ୍ଵ ବିମୋହିନୀ ବିପଦ ଭଞ୍ଜନୀ
ସମଗ୍ର ପ୍ରକୃତି ଆସି
ପାଦ ପ୍ରଦେଶରୁ ସୌନ୍ଦର୍ଯ୍ୟ ଭୂଷଣେ
ସାରା ଅଙ୍ଗ ଉଠେ ହସି ।
ହସୁଛି ଶରତ ପୂଜା ପାର୍ବଣରେ
ଶିତଳ ବର୍ଷଣ ଦେଇ
କାଶତଣ୍ଡୀ ନାଚେ ଆନନ୍ଦିତ ମନେ
ମାତାର ଆଭାସ ପାଇ ।
ତୋର ଆଗମନ ହେଉ ଶୁଭପ୍ରଦ
ଲିଭି ଯାଉ ଦୁଃଖ ଦିନ
ତୁହି ମାଆ ଗଉରୀ ସୁଖ ଶାନ୍ତି ଶିରୀ
ବୁଝିବୁ ଭକତ ମନ ।
