STORYMIRROR

Baikuntha meher

Drama Tragedy

3  

Baikuntha meher

Drama Tragedy

ହେ କୃଷ୍ଣ

ହେ କୃଷ୍ଣ

1 min
286


ହେ କୃଷ୍ଣ! ତୁମେ ଆସ।

ଜାଣିଛି ମୁଁ ଲୋଡା ନାହିଁ ତୁମ ଲାଗି 

ସୁଉଚ୍ଚ ତୋରଣ 

ଗେଣ୍ଡୁ ମଲ୍ଲୀ ଫୁଲର ଗଜରା,

ଧୂପ ଦୀପ ନୈବେଦ୍ୟ ଅବା ଅର୍ଘ୍ୟଥାଳୀ,

ପୂର୍ଣ୍ଣକୂମ୍ଭ ଅବା ଡ଼ାକବାଜି ଯନ୍ତ୍ର ର 

କର୍ଣ୍ଣଭେଦୀ ସ୍ବର।

ହେ କୃଷ୍ଣ,

ସେଦିନ ତୁମ ଵାଳରୂପକୁ 

ହତ୍ୟା କରିବାକୁ

କଂସର ଇଙ୍ଗିତରେ ଆସିଥିଲା ପୁତନା

ବକ୍ଷରେ ଭରି ହଳାହଳ ବିଷ।

ହେଲେ ଆଜିର ପୁତନା 

ପୁଷ୍ଟିକର ଖାଦ୍ୟର ଦ୍ୱାହି ଦେଇ

ଆଜିର କୃଷ୍ଣ ର ଖାଦ୍ୟରେ 

ଅପମିଶ୍ରଣ କରି ଶତଶତ କୃଷ୍ଣ ଙ୍କୁ

 ଅପପୁଷ୍ଟି ର କରୁଛି ଶୀକାର।

ସେଦିନ କଂସ ବିଜୁଳି କନ୍ୟା କୁ 

ହତ୍ୟା କରିବାକୁ କରିଥିଲା ଉଦ୍ୟମ 

ହେଲେ ଆଜିର କଂସ 

ଗର୍ଭଗୃହ ମଧ୍ୟରେ 

ଲକ୍ଷ ଲକ୍ଷ ବିଜୁଳି କନ୍ୟାଙ୍କୁ 

କରୁଛି ବିନାଶ।

ବସୁଦେବ ଦେବକୀ ପରି

 ପିତା ମାତାଙ୍କ ବାର୍ଦ୍ଧକ୍ୟ ଜୀବନ 

 ଆଜି ଦୁର୍ଵିସହ।

ଗୋ ସମ୍ପଦକୁ ରକ୍ଷାସଂକଳ୍ପ 

ଆଜି ହୋଇଛି ବିପଥଗାମୀ

କୁରୁକ୍ଷେତ୍ରରେ ଚାଲିଛି 

ମହାଭାରତ ଯୁଦ୍ଧ

ଶକୁନିର ଚକ୍ରାନ୍ତର ପଶାକାଠି ରେ

 ପାଣ୍ଡବ ଆଜି ସର୍ବହରା।

ଦୁର୍ଯ୍ୟୋଧନ ଆଜି ବି ମନା କରୁଛି 

ଦେବାକୁ ସୁଚାଗ୍ରେ ମେଦିନୀ।

ଶତଶତ ଦୁଃଶାସନ 

ଦ୍ରୌପଦୀର ବସ୍ତ୍ର ହରଣ କରନ୍ତି 

ବିଚ୍ ରାସ୍ତାରେ।

ହେ କୃଷ୍ଣ,ଦେଖ, 

କେତେ ଅଭିମନ୍ୟୁ ଆଜି ସମସ୍ୟା ,

ଜଞ୍ଜାଳର ଚକ୍ରବ୍ୟୁହରେ ।

ହେ କୃଷ୍ଣ ! ଆଉଥରେ ଆସ ଅବତରି ,

ହସ୍ତେ ଧରି ସୁଦର୍ଶନ 

ବିନାଶ କର 

ଏ ଯୁଗର ପୁତନା ର ଛଳ ମାତୃତ୍ଵ କୁ

ଵିଷଭରା ମନକୁ

ମିଛିମିଛିକା ମା ପଣିଆକୁ।

ନିପାତକର କାମ, କ୍ରୋଧ ,-

ଲୋଭ ମୋହ ରୂପୀ ଅଷ୍ଟମଲ୍ଲକୁ, 

ସଂହାର କର ଭ୍ରୁଣ ହତ୍ୟାକାରୀ କଂସକୁ।

ଦୁର୍ଯ୍ୟୋଧନ, ଦୁଃଶାସନ,କୀଚକ, -

ଶକୁନି ପରି ଅଭିମାନୀ, ଅହଂକାରୀ,

କାମୁକ,ଲମ୍ପଟ,ଚକ୍ରୀଙ୍କ 

ମୂଳୋତ୍ପାଟନ କର। 

ପୁନଃସ୍ଥାପନ କର ସତ୍ୟ ଓ ଧର୍ମର।

ମୋହନ ବଂଶୀ ର ସ୍ବନରେ 

ସଭିଙ୍କୁ ଆମୋଦିତ ,ଆଲ୍ଲାଦିତ 

    ସମ୍ମୋହିତ କର।

ପ୍ରତିଘରେ ପାଳିତ ହେଉ ନନ୍ଦ ଉତ୍ସବ।

               ଜୟ ଶ୍ରୀକୃଷ୍ଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama